Pratidin TV

Odisha's Digital News Platform

ହକିରେ ସ୍ୱର୍ଣ୍ଣ ଜିତି ଓଡିଶା ପାଇଁ ଗର୍ବ ଆଣିଲେ ଅମିତ, ଏଥିପାଇଁ ମୁଖ୍ୟମନ୍ତ୍ରୀ ଦେଲେ ବଡ ଉପହାର..

1 min read

ଭୁବନେଶ୍ୱର : ଏସିଆନ କ୍ରୀଡାରେ ପୁରୁଷ ହକି ହାସଲ କରିସାରିଛି ସ୍ୱର୍ଣ୍ଣ ପଦକ । ଆଉ ଏଥିରେ ସାମିଲ ରହିଛନ୍ତି ଜଣେ ଓଡିଆ ପୁଅ । ଦେଶକୁ ସୁନା ଉପହାର ଦେବା ସହ ଓଡିଶା ପାଇଁ ଆଣି ଦେଇଛନ୍ତି ଗର୍ବ ଗୌରବ । ସେ ଆଉ କେହି ନୁହେଁ ସେ ହେଉଛନ୍ତି ସୁନ୍ଦରଗଡର ବାସିନ୍ଦା ଅମିତ ରୋହିଦାସ । ଓଡ଼ିଶାର ସୁନାପୁଅ ଅମିତ ରୋହିଦାସଙ୍କୁ ନବୀନ ଏକ ଉପହାର ଦେଇଛନ୍ତି । ହକି ଷ୍ଟାର ଅମିତ ରୋହିଦାସଙ୍କୁ ଦେଢ କୋଟି କ୍ୟାସ ଆୱାର୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଭାରତୀୟ ହକି ଟିମ ଏସିଆନ ଗେମସରେ ଗୋଲ୍ଡ ମେଡାଲ ଜିତିଥିଲା । ଡିଫେଣ୍ଡର ଅମିତ ରୋହିଦାସଙ୍କ ଗୋଲ କମାଲ କରିଥିଲା । ୫-୧ରେ ଜାପାନକୁ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେବେ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତି ଦେଶର ଗୌରବ ବଢ଼ାଇଥିବା ବେଳେ ଟିମକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅମିତଙ୍କ ପ୍ରଦର୍ଶନ ଯୁବପିଢି ଲାଗି ଏକ ପ୍ରେରଣା ।
ସୂଚନା ମୁତାବକ, ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁରସ୍କାର ଘୋଷଣା କରିଛନ୍ତି । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ପ୍ରକାଶଥାଉକି, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଟିମକୁ ସ୍ପୋନ୍ସର କରିଆସୁଛନ୍ତି । ସେହିପରି ଦୁଇଦୁଇଥର ବିଶ୍ୱକପର ଆୟୋଜନ କରି ହକିକୁ ଏକ ନୂଆ ସ୍ତରକୁ ନେବା ପାଇଁ ପ୍ରୟାସ କରିଛନ୍ତି ଓଡ଼ିଶା ସରକାର ।

Advertisement

Leave a Reply

Your email address will not be published. Required fields are marked *