ମୋମୋ’ ଖାଇ ଚାଲିଗଲା ମହିଳାଙ୍କ ଜୀବନ , ୧୫ରୁ ଉର୍ଦ୍ଧ୍ବ ଗୁରୁତର…
1 min readମନକୁ ଆସୁଥିବା ପ୍ରଥମ ଷ୍ଟ୍ରିଟ୍ ଫୁଡ ହେଉଛି ମୋମୋ । ମୋମୋ ସହିତ ଏକ ଗରମ ସୁପ୍, ତାଜା କୋବି କିମ୍ବା ଚଟନି ଖାଇବା ସମସ୍ତଙ୍କୁ ପସନ୍ଦ। ମୋମୋ ବିଷୟରେ ଭାବିଲେ ପାଟିରେ ଲାଳ ଆସିଯାଏ, ଏହାର ମୂଲ୍ୟ ବହୁତ ଅଧିକ ମଧ୍ୟ ନୁହେଁ, ଅନେକ ଲୋକ ମୋମୋକୁ ପସନ୍ଦ କରନ୍ତି।ହେଲେ ଏହି ମୋମୋ ଖାଇବା କିଛି ଜଣଙ୍କୁ ମହଙ୍ଗା ପଡ଼ିଛି।
ମୋମୋ ଖାଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। ହାଇଦ୍ରାବାଦର ବଞ୍ଜାରା ହିଲ୍ସର ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲରେ ମୋମୋ ଖାଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାୟ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ଏନେଇ କିଛି ପୀଡିତ ବଞ୍ଜାରା ହିଲ୍ସ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ଶୁକ୍ରବାର ଦିନ ଗୋଟିଏ ହିଁ ଷ୍ଟଲରୁ କିଛି ଲୋକ ମୋମୋ ଖାଇଥିଲେ। ତେବେ ମୋମୋ ଖାଇବାର ଘଣ୍ଟାକ ପରେ ଏମାନଙ୍କୁ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡ଼ା ହୋଇଥିଲା। ଏହାପରେ ବଞ୍ଜାର ହିସ୍ଲ ସ୍ଥିତ ବିଭିନ୍ନ ହସ୍ପିଟାଲରେ ଏମାନେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ରେଶମା ବେଗମ ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା।
ତାଙ୍କୁ ନିଜାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଲିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ପୋଲିସ କହିବା ମୁତାବକ, ଚିନ୍ତାଲ ବସ୍ତିରେ ଥିବା ‘ଦିଲ୍ଲୀ ମୋମୋ’ ଷ୍ଟଲରୁ ସମସ୍ତ ୧୫ ଜଣ ବ୍ୟକ୍ତି ମୋମୋ ଖାଇଥିଲେ। ମୋମୋ ଖାଇବା ସହ ମେୟୋନିଜ୍ ଓ ଚଟନି ମଧ୍ୟ ଖାଇଥିଲେ। ଏଥିଲାଗି ଖାଦ୍ୟରେ ବିଷ କ୍ରିୟା ହୋଇଥିବା ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଏହି ମାମଲରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।ପୋଲିସ ଉକ୍ତ ଫୁଡ୍ ଷ୍ଟଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।