Pratidin TV

Odisha's Digital News Platform

ବିଶ୍ୱକପ ବିଜୟକୁ ପୁରିଲା ୧୩ ବର୍ଷ , ଆଜିର ଦିନରେ ଭାରତୀୟ ଦଳ ହାତେଇଥିଲେ ବିଶ୍ୱକପ ..

1 min read

ଭାରତର ବିଶ୍ୱକପ୍ ବିଜୟକୁ ପୁରିଛି ୧୩ ବର୍ଷ । ୨୦୧୧ ମସିହାର ଆଜିର ଦିନରେ ଭାରତ ନିଜର ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ବିଜୟୀ ହୋଇଥିଲା । ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଜୟ ସୂଚକ ଛକା ମାରିବା ସହିତ ୱାଙ୍ଖେଡେରେ ଉଡାଇଥିଲେ ହେଲିକପ୍ଟର ସଟ । ସେଦିନ ଥିଲା ୨୦୧୧ ଏପ୍ରିଲ ୨, ଶନିବାରରେ । ପ୍ରଥମ ଥର ପାଇଁ ଏକ ଆୟୋଜକ ଦେଶ ବିଶ୍ୱକପ୍ ବିଜୟୀ ହୋଇଥିଲା । ୨୭୫ ରନର ପିଛା କରୁଥିବା ଭାରତ ମାତ୍ର ୩୧ ରନରେ ଦୁଇଟି ୱିକେଟ ହରାଇଥିବା ବେଳେ ଗୌତମ ଗମ୍ଭୀରଙ୍କ ୯୭ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ୯୧ ରନ ବଳରେ ଭାରତ ମ୍ୟାଚକୁ ୬ ୱିକେଟରେ ଜିତି ନେଇଥିଲା ।

ଧୋନୀଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିବା ବେଳେ କ୍ୟାନ୍ସର ସହିତ ଲଢେଇ କରି ଭାରତକୁ ଚାମ୍ପିୟନ କରିଥିବା ଯୁବରାଜ ସିଂଙ୍କୁ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା । ୧୯୮୩ରେ କପିଳ ଦେବଙ୍କ ଭାରତୀୟ ଦଳ ଦୁର୍ଦ୍ଦୁଷ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା । ତେବେ ଏହାପରେ ୨୮ ବର୍ଷ ଯାଏଁ ଭାରତ ପାଇଁ ଟାଇଟଲ ମରୁଡି ରହିଥିଲା । ୧୯୯୬ରେ ଶ୍ରୀଲଙ୍କା ନିକଟରୁ ସେମି ଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳ ୨୦୦୩ରେ ଫାଇନାଲରେ ପରାଜିତ ହୋଇଥିଲା । ତେବେ ୨୦୦୭ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ୨୦୦୭ ବିଫଳତା ଏବଂ ଆୟୋଜକ ଟିମ୍ କେବେ ବିଶ୍ୱକପ ନ ଜିତିବାର ରେକର୍ଡ ଭାରତ ବିପକ୍ଷରେ ରହିଥିଲା । ତେବେ ଓପନିଂରେ ସେହ୍ୱାଗ-ଗମ୍ଭୀରଙ୍କ ଧୂଆଁଧାର ଇନିଂସ, ମିଡିଲ ଅର୍ଡରରେ ଯୁବରାଜ ସିଂଙ୍କ ଅଭିଜ୍ଞତା ଏବଂ ଧୋନୀଙ୍କ ଫିନିଶିଂ ସ୍କିଲ ଭାରତକୁ ବିଜୟୀ କରିଥିଲା । କେବଳ ବ୍ୟାଟିଂ ନୁହେଁ ଭାରତର ବୋଲିଂ ୟୁନିଟ ମଧ୍ୟ ଚମତ୍କାର ରହିଥିଲା ।

ନିଜ କ୍ୟାରିୟରର ପ୍ରାଇମ ଫର୍ମରେ ଥିବା ଜାହିର୍ ଖାନ୍ ୨୨ ୱିକେଟ ସହିତ ଟୁର୍ଣ୍ଣାମେଣ୍ଟର ହାଇଏଷ୍ଟ ୱିକେଟ ଟେକର ରହିଥିଲେ । ସେହିପରି ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ରହିଥିବା ଯୁବରାଜ ସିଂ ବ୍ୟାଟିଂରେ ୩୪୧ ରନ କରିବା ସହିତ ବୋଲିଂରେ ୧୫ଟି ୱିକେଟ ନେଇଥିଲେ । ଆର. ଅଶ୍ୱିନ, ହରଭଜନ ସିଂ ଏବଂ ଆଶିଷ ନେହେରା ନିୟମିତ ଭାବରେ ୱିକେଟ ନେବା ସହିତ ଭାରତକୁ ବିଜୟୀ କରାଇଥିଲେ । କେବଳ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚକୁ ଛାଡିଲେ ସମସ୍ତ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଥିଲା । ଫାଇନାଲ ମୁକାବିଲାରେ ୨୭୫ ରନର ବିଜୟ ଲକ୍ଷ୍ୟ କେବେ ବି ସହଜ ସାଧ୍ୟ ନଥାଏ । ୩୧ ରନରେ ଦୁଇଟି ୱିକେଟର ପତନ ପରେ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଯେଉଁ ୩୫ ରନର ଇନିଂସ ଖେଳିଥିଲେ ତାର ଭୂମିକା ମଧ୍ୟ କିଛି କମ ନଥିଲା । ସେହିପରି ଟୁର୍ଣ୍ଣାମେଣ୍ଟ ସାରା ଭାରତ ପାଇଁ ଭଲ ପ୍ରଦର୍ଶନ କରି ଆସୁଥିବା ଯୁବରାଜଙ୍କ ସ୍ଥାନରେ ଧୋନୀ ବ୍ୟାଟିଂ ଆସିବା ମଧ୍ୟ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ସବୁପରେ ଭାରତର ବିଶ୍ୱକପ ବିଜୟ ହିଁ ଏ ସବୁ ପରର ହାଇଲାଇଟ ରହିଥିଲା । ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ ଖେଳୁଥିବା ସଚିନ୍ ତେନ୍ଦୁଲକର ନିଜର ଅନ୍ତିମ ବିଶ୍ୱକପ୍ ଖେଳୁଥିବା ବେଳେ ଭାରତର ଏହି ବିଶ୍ୱକପ ବିଜୟ ସର୍ବଦା ସ୍ମରଣୀୟ ରହିବ ।

Leave a Reply

Your email address will not be published. Required fields are marked *