୧୯୯୯ମହାବାତ୍ୟାକୁ ପୂରିଲା ୨୫ ବର୍ଷ,ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ସବୁକିଛି ଉଜାଡ଼ି ଦେଲା.
1 min readପ୍ରକୃତିର ତାଣ୍ଡବ, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ସବୁକିଛି। କିଏ କେଉଁଠି ରହିଲେ, କୁଆଡ଼େ ଗଲେ କିଛି ଜଣାପଡ଼ିଲା ନାହିଁ। ଚାରିଆଡ଼େ ପ୍ରଳୟର ଦୃଶ୍ୟ, ପ୍ରଚଣ୍ଡ ବେଗର ପବନ ଓ ପାଣି। ମୁହୂର୍ତ୍ତକ ପରେ ନିଜକୁ କିଏ କେଉଁଠି କିପରି ଅବସ୍ଥାରେ ଆବିଷ୍କାର କଲେ ତାହା ଜଣା ନ ଥିଲା।
ଆତ୍ମୀୟ ସ୍ଵଜନ, ପରିବାର ଲୋକେ ସବୁ ଆଖି ଆଗରେ ଭାସିଗଲେ। ଘରଦ୍ୱାର କେଉଁ ଜାଗାରେ ରହିଥିଲା ତାହା ଠଉରାଇବା ସମ୍ଭବ ନ ଥିଲା। ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଥିଲା। ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଆଉ ଆଜି ସେଇ ଭୟଙ୍କର ମହାବାତ୍ୟାକୁ ପୂରିଛି ୨୫ ବର୍ଷ। ଏହି ପ୍ରଳୟଙ୍କରୀ ବାତ୍ୟା ଦିନେ ଧୋଇ ନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶା ଦେଖିଥିଲା।ସେ କାଳ ରାତିର ହୃଦୟବିଦାରକ ଘଟଣା ମନେ ପଡ଼ିଗଲେ ଆଜି ବି ଉପକୂଳ ଓଡ଼ିଶାବାସୀଙ୍କ ଲୋମ ଟାଙ୍କୁରି ଉଠେ।
୨୫ ବର୍ଷ ଭିତରେ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି, କେତେ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି ଓଡ଼ିଶା। କିନ୍ତୁ ଅକ୍ଟୋବର ୨୯ ତାରିଖ ଆସିଲେ ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକଙ୍କ ଆଖିରେ ଲୁହ ଜକେଇ ଆସେ। ସେଦିନର କାଳରାତିକୁ ଆଜି ବି ଲୋକେ ଭୁଲିପାରୁ ନାହାନ୍ତି।ମହାବାତ୍ୟା ପରେ ଫାଇଲିନ୍, ହୁଡ୍ହୁଡ୍, ତିତ୍ଲି, ଫନି, ଅମ୍ଫନ ଏବଂ ୟାସ୍ ଭଳି ଅନେକ ବାତ୍ୟାକୁ ଓଡ଼ିଶାବାସୀ ସାମ୍ନା କରିଛନ୍ତି। ପୁଣି ଅକ୍ଟୋବରରେ ଆଉ ଗୋଟିଏ ବାତ୍ୟା ‘ଦାନା’ ରାଜ୍ୟବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରି ଚାଲିଗଲା।କିନ୍ତୁ ୧୯୯୯ ମହାବାତ୍ୟା ଯେଉଁ ଦାରୁଣ ଦୁଃଖ ଦେଇ ଯାଇଥିଲା ତାହା ଉପକୂଳ ଓଡ଼ିଶାବସୀଙ୍କ ମନରେ ଅପାସୋରା ହୋଇରହିଛି।
ଆଖି ଆଗରେ ଦୋହଲି ଯାଇଥିଲା ସବୁକିଛି। ଭାଙ୍ଗି ଯାଇଥିଲା ଘର, ଉପୁଡ଼ି ପଡ଼ିଥିଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଥିଲେ ଓଡ଼ିଶାବାସୀ। ପ୍ରଳୟ ସ୍ରୋତରେ ଲୀନ ହୋଇଯାଇଥିଲେ ୧୦ ହଜାରରୁ ଅଧିକ ଲୋକ। ସରକାରୀ ରିପୋର୍ଟରେ ୧୦ ହଜାର କୁହାଯାଉଥିଲେ ବି ଏହି ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଏ। ଘଣ୍ଟାପ୍ରତି ୨୬୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ଭୂପତିତ ହୋଇଥିଲା ଲକ୍ଷ ଲକ୍ଷ ଗଛ। ଏହି ଆକସ୍ମିକ ପ୍ରଳୟ ଲାଗି ପ୍ରସ୍ତୁତ ନଥିଲେ ଓଡ଼ିଶାବାସୀ। ଓଡ଼ିଶା ଇତିହାସରେ ଏହି ଲୋମହର୍ଷକ ବାତ୍ୟା ଆଉ କେବେ ଓଡ଼ିଶାକୁ ନଆସୁ।
୧୯୯୯ ଅକ୍ଟୋବର ୨୫ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ଏହା ଅତ୍ୟନ୍ତ ଉଗ୍ରରୂପ ଧାରଣ କରି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସିଥିଲା। ୨୬ ତାରିଖରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଥିଲାଗି ଆଲର୍ଟ ଜାରି କରାଯାଇଥିଲା। ୨୭ ତାରିଖରେ ଘୂର୍ଣ୍ଣିବଳୟଟି ବଙ୍ଗୋପସାଗରରେ ପହଞ୍ଚିବା ପରେ ଓଡ଼ିଶା ଉପକୂଳକୁ ଆଲର୍ଟ କରାଯାଇଥିଲା। ଘୂର୍ଣ୍ଣିବଳୟଟି ପ୍ରଚଣ୍ଡ ବେଗରେ ବଳ ଗୋଟାଇ କରାଳ ରୂପ ଧାରଣ କରି ପାରାଦୀପ ଅଭିମୁଖେ ମାଡ଼ି ଆସିଥିଲା, ଆଉ ଅକ୍ଟୋବର ୨୯ ରାତିରେ ପାରାଦୀପରେ ଲ୍ୟାଣ୍ଡଫଲ୍ କରିଥିଲା ଏହି ମହାବାତ୍ୟା। ଜଗତସିଂହପୁର ସମେତ ଅଧା ଓଡ଼ିଶା ଛାରଖାର ହୋଇଯାଇଥିଲା ମାହାବାତ୍ୟାର ତାଣ୍ଡବରେ।
ବିଶେଷକରି ଜଗତସିଂହପୁର ଜିଲ୍ଲାର ଏର୍ସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଘଣ୍ଟାକୁ ପାଖାପାଖି ୨୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ସେ ଅଞ୍ଚଳର ସବୁ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା। ମହାବାତ୍ୟାରେ ସେତେବେଳେ ରାଜ୍ୟର ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୧.୫ ନିୟୁତ ଲୋକ ବାସହୀନ ହୋଇଥିଲେ। ରହିବା ପାଇଁ ନା ଘର ଥିଲା, ନା ବଞ୍ଚିବା ପାଇଁ ଖାଦ୍ୟ। ପବନରେ ବିରାଟ ବିରାଟ ଗଛ ରାସ୍ତା ଉପରେ ଲୋଟି ପଡ଼ିଥିଲେ। ଫଳରେ ବ୍ୟାତ୍ୟା ପ୍ରଭାବିତ ଲୋକଙ୍କ ପାଖକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ମଧ୍ୟ କେତେକ ସ୍ଥାନରେ ସମ୍ଭବ ହୋଇ ନଥିଲା।
ଏବେ ଯେମିତି ସୋସିଆଲ ମିଡିଆ ଏବଂ ମିଡିଆର ବହୁଳ ବ୍ୟବହାର ହେଉଛି ସେତେବେଳେ ଏହାର ସୁଯୋଗ ନଥିଲା। ତେଣୁ ଲୋକମାନେ ମହାବାତ୍ୟା ସମ୍ପର୍କରେ ପୂର୍ବ ସୂଚନା ଭଲ ଭାବେ ଜାଣିପାରି ନଥିଲେ। ଯଦିଓ ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ସଚେତନ କରାଯାଇଥିଲା ତେବେ ଲୋକଙ୍କ ଜୀବନ ବଞ୍ଚି ପାରିଥିଲା ସିନା ହେଲେ ଘରବାଡ଼ି, ଧନସମ୍ପତି ସବୁ ଉଜୁଡ଼ି ଯାଇଥିଲା। ଓଡ଼ିଶାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ମହାବାତ୍ୟା।
ମହାବାତ୍ୟା ପରଠାରୁ ସଜାଗ ହୋଇଥିଲା ଓଡ଼ିଶା। ଗତ ୨୫ ବର୍ଷ ଓଡ଼ିଶା ବାସୀଙ୍କ ମନରେ ବାତ୍ୟାର ଭୟ ଘାରି ହୋଇଛି। ୧୯୯୯ ପରଠୁ ୨୦୨୪ ମସିହା ମଧ୍ୟରେ ଓଡ଼ିଶା ସାମ୍ନା କରିଛି ୧୧ଟି ବାତ୍ୟା। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ, ଗୁଲାବ, ଜୱାଦ ଓ ଏବେ ଦାନା ଦ୍ବାରା ଓଡ଼ିଶା ପ୍ରଭାବିତ ହୋଇଛି।