Pratidin TV

Odisha's Digital News Platform

ଖାକିରେ ଲାଗିଲା ନାବାଳିକା ଦୁଷ୍କର୍ମ ଦାଗ ; କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଏଏସ୍ଆଇ ଓ ହୋମ୍‌ଗାର୍ଡ

1 min read

ରାଇରଙ୍ଗପୁର ; ଖାକିରେ ଲାଗିଲା ଦାଗ। ରକ୍ଷକ ସାଜିଲେ ଭକ୍ଷକ। ଜଣେ ପୁଲିସ ଏଏସ୍ଆଇ ଏବଂ ଜଣେ ହୋମ୍‌ଗାର୍ଡ ଦୁଇଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ। ଅଭିଯୋଗ ପରେ ଉଭୟ ମାମଲାକୁ ଚପାଇ ଦେବା ପାଇଁ ରିତିମତ୍ ଉଦ୍ୟମ ହୋଇଥିଲା। ହେଲେ ସବୁ ଉଦ୍ୟମ ଫସରଫାଟିଲା। ଶେଷରେ ପୁଲିସ ବାବୁମାନେ ଆଜି ବନ୍ଧା ହୋଇଥିବା ଜଣାପଡ଼ିଛି।

କେନ୍ଦୁଝର ଜିଲ୍ଲାର ଆନନ୍ଦ ମାଝୀ (୩୮)। ସେ ଜାମଦା ଥାନାର ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ବ୍ଲକ୍ କ୍ବାର୍ଟର୍‌ରେ ଏକା ରହୁଥିଲେ। ଜାମଦା ଥାନା ଅଞ୍ଚଳର ଜଣେ ୧୭ ବର୍ଷ ବୟସ୍କ ନାବାଳିକା ଏଏସ୍ଆଇ ଶ୍ରୀ ମାଝୀଙ୍କ କ୍ବାର୍ଟର୍‌ରେ ରହି କାମ କରନ୍ତି। ତେବେ ଘରେ କେହି ନଥିବାର ସୁଯୋଗ ନେଇ ଏଏସ୍ଆଇ ଶ୍ରୀ ମାଝୀ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଘଟଣା ବାବଦରେ ଜାଣିବା ପରେ ନାବାଳିକାଙ୍କ ପିଉସୀ ଗତ ୧୪ ତାରିଖ ଦିନ ଜାମଦା ଥାନାରେ ଏତଲା ଦେଇଥିଲେ।

ASI ଆନନ୍ଦ ମାଝୀ

ଅନ୍ୟପଟେ ୧୩ ତାରିଖ ଦିନ ଥାନାର ହୋମ୍‌ଗାର୍ଡ ଜାମଦା ବ୍ଲକ୍ ଗୁଳଦା ଗ୍ରାମର ଦେବାନନ୍ଦ ପାତ୍ର (୩୩)ଙ୍କ ନାମରେ ମଧ୍ୟ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଗୁଣିଗାରେଡ଼ି କରୁଥିବା ହୋମ୍‌ଗାର୍ଡ ଶ୍ରୀ ପାତ୍ର ଝାଡ଼ଖଣ୍ଡ ମାନଝାରି ଥାନା ଅଞ୍ଚଳର ଜଣେ ଅସୁସ୍ଥ ବୃଦ୍ଧାଙ୍କୁ ସୁସ୍ଥ କରିଦେବେ ବୋଲି ଦାବି କରିଥିଲେ। ତାଙ୍କ କହିବା କଥା ଅନୁସାରେ ବୃଦ୍ଧାଙ୍କ ୧୫ ବର୍ଷୀୟା ନାବାଳିକା ନାତୁଣୀ ରାତିରେ ହୋମ୍‌ଗାର୍ଡ ଶ୍ରୀ ପାତ୍ରଙ୍କ ଘର ନିକଟ ଏକ ନିଛାଟିଆ ଜାଗାରେ ଦୀପ ଜାଳି ଏକୁଟିଆ ବସିରହିଥିଲେ। ଏହି ସମୟରେ ହୋମ୍‌ଗାର୍ଡ ଶ୍ରୀ ପାତ୍ର ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଘଟଣା ସମ୍ପର୍କରେ କାହାକୁ କହିଲେ ତାଙ୍କ ଆଈଙ୍କ ମୃତ୍ୟୁ ହେବ ବୋଲି କହି ଭୟବିତ କରାଇଥିଲେ।

ହୋମ୍‌ଗାର୍ଡ

ଏନେଇ ଜାଣିବା ପରେ ନାବାଳିକାଙ୍କ ମାମୁ ଗତ ୧୫ ତାରିଖ ଦିନ ଜାମଦା ଥାନାରେ ଏତଲା ଦେଇଥିଲେ। ତେବେ ଦୁଇଦିନ ମଧ୍ୟରେ ଜଣେ ଏଏସ୍ଆଇ ଏବଂ ଜଣେ ହୋମ୍‌ଗାର୍ଡଙ୍କ ବିରୋଧରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଥାନା କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା। ଉଭୟ ମାମଲାକୁ ଚପାଇ ଦେବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଥିଲା। ହେଲେ ଉଦ୍ୟମ ସଫଳ ହେଲାନି। ଫଳରେ ପୁଲିସ ଗତକାଲି ଏଏସ୍ଆଇ ଶ୍ରୀ ମାଝୀଙ୍କ ନାମରେ ୮୩/୨୩ ଏବଂ ହୋମ୍‌ଗାର୍ଡ ଶ୍ରୀ ପାତ୍ରଙ୍କ ନାମରେ ୮୨/୨୩ରେ ପୃଥକ୍ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣା ବାବଦରେ ସବିଶେଷ ଜାଣିବା ପାଇଁ ଥାନା ଅଧିକାରୀ ମିନତୀ ନାଏକଙ୍କୁ ପଚରାଯାଇଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିନଥିଲା।

Leave a Reply

Your email address will not be published. Required fields are marked *