୨୭ବର୍ଷରେ ବିଜୁ ଜନତା ଦଳ, କଟକରୁ ଭୁବନେଶ୍ୱର ଯାଏଁ ହେଲା ବିଶାଳ ସାଇକେଲ ଶୋଭାଯାତ୍ରା..
1 min read୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ଆଜି ବିଜେଡିର ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ପ୍ରତି ନିର୍ବାଚନ ମଣ୍ଡଳୀ ପୌରାଞ୍ଚଳ-ପଞ୍ଚାୟତ ସ୍ତରରେ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ୨୭ତମ ପ୍ରତିଷ୍ଠା ସମାରୋହ ପାଳନ କରାଯାଉଛି । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦରରେ ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଆଜି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀ ମାନେ ଶପଥ ନେବେ । ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି ।
୨୬ ବର୍ଷ ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି ।ଓଡ଼ିଆ ସ୍ୱାଭିମାନ ବଜାୟ ରଖିବା ସହ ଏହାକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କଳିଙ୍ଗ ବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନୀତି , ଆଦର୍ଶ ଓ ଆଭିମୁଖ୍ୟକୁ ପାଥେୟ କରି ଦୀର୍ଘ ୨୬ ବର୍ଷ ତଳେ ଗଠନ ହୋଇଥିଲା ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ୨୬ ବର୍ଷ ତଳେ ଗଠନ ହୋଇଥିବା ବିଜେଡି ଆଜି ଏକ କେବଳ ରାଜନୈତିକ ଦଳ ନୁହେଁ, ବରଂ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା। ୨୦୨୪ ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ମିଶନ ୧୩୦କୁ ନେଇ କାମ କରୁଛି ବିଜେଡି। ଆଜି ଦଳର ପ୍ରତିଷ୍ଠା ଦିବସରେ ଓଡିଶା ସିଏମ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ପିତା ତଥା ପୂର୍ବତନ ସିଏମ ବିଜୁ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।