Pratidin TV

Odisha's Digital News Platform

ବାପାଙ୍କ ପରେ ୨ ନାବାଳକ ପୁଅ ମୁଣ୍ଡରୁ ଉଠିଗଲା ମା ପଣତ କାନି ।

1 min read

କେନ୍ଦ୍ରାପଡା ; ଦୁନିଆ କଣ ବୁଝିବା ଆଗରୁ ହାତ ଛାଡି ଚାଲି ଯାଇଥିଲେ ବାପା ଆଉ ଯିଏ ପାଳି ପୋଷି ମଣିଷ କରିଥିଲା ସିଏ ବି କୈଶୋର ଅବସ୍ଥାରେ ହାତ ଛାଡି ଚାଲିଗଲା।ବୁଢ଼ୀ ଜେଜେମାଙ୍କୁ ଠିକ ଭାବରେ ଦିଶୁନଥିବା ବେଳେ ଏହି ବାପା ମା ଛେଉଣ୍ଡ ଦୁଇଭାଇ ରହିବେ କେଉଁଠି ଆଉ ଖାଇବେ କଣ ସେନେଇ ସନ୍ଦିହାନ।ଏପରିକି ମା’ର ଶୁଦ୍ଧିକ୍ରିୟା ହୋଇ ପାରିନଥିବା ବେଳେ ଗାଁ ଯୁବକ ସଂଘର ବଦାନ୍ୟତା ପାଇଁ ସାହି ଭାଇଙ୍କୁ ଡାକି ଶୁଦ୍ଧିକ୍ରିୟା ଶେଷ ହୋଇଥିବା ବେଳେ ଦୁଇଭାଇ ଏବେ କେଉଁ ଦିଗକୁ ଯିବେ ସେନେଇ ସଂଶୟ ଉପୁଜିଛି।

ମୁଣ୍ଡ ଉପରୁ ଉଠିଗଲା ବାପାଙ୍କ ହାତ ପରେ ମାର ପଣତକାନି,ଦୁର୍ଦ୍ଦିନରେ ଦୁଇପୁଅ।ରହିବେ କେମିତି ଖାଇବେ କଣ ଆଉ ଆଗକୁ ପାଠ ପଢିବେ କି ନାହିଁ ସେନେଇ ଦ୍ଵନ୍ଦରେ ୧୫ ଓ ୧୩ ବର୍ଷର ଦୁଇ ନାବାଳକ ପୁଅ ସତ୍ୟପ୍ରକାଶ ଓ ବିଶ୍ୱ ପ୍ରକାଶ।କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ବେଣୀପୁର ପଞ୍ଚାୟତ ବଜାର ଗାଁର ଦିନ ମଜୁରିଆ ଦସୁ ମଲିକ ଦୀର୍ଘ ୧୩ ବର୍ଷ ତଳେ ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ କାମ ସାରି ଫେରୁଥିବା ବେଳେ ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।ଦସୁଙ୍କ ମା ବାସନ୍ତୀ ଜଣେ ଦୃଷ୍ଟିବାଧିତ ମହିଳା ହୋଇଥିବା କାରଣରୁ ଦସୁଙ୍କ ପତ୍ନୀ ଜୟନ୍ତୀ ସଂସାର ଚଳାଇବା ଭାର ନିଜ କାନ୍ଧରେ ବୋହି ନେଇ ଦୁଇପୁଅଙ୍କୁ ବଡ଼ କରିବା ପାଇଁ ବିଭିନ୍ନ ସମୟରେ କଷ୍ଟ କରି ମୂଲ ପାତି ଲାଗି ପରିବାର ଗୁଜୁରାଣ ମେଣ୍ଟାଉଥିଲେ।ହେଲେ ହଠାତ ପୁନଃ ଏକ କଳାବାଦଲ ଏହି ପରିବାର ଉପରେ ମାଡି ଆସିଥିବା ବେଳେ ଆଜକୁ ୧୨ ଦିନ ତଳେ ବ୍ରେନ ଟ୍ୟୁମରରେ ଜୟନ୍ତୀ ପ୍ରାଣ ହରାଇଛନ୍ତି।ମା’ଙ୍କ ମୃତ୍ୟୁ ପରେ ଅନ୍ତ୍ୟଷ୍ଟିକ୍ରିୟା ସାଙ୍ଗକୁ ଶୁଦ୍ଧିକ୍ରିୟା କିପରି ହେବ ସେନେଇ କଅଁଳ ମୁଣ୍ଡରେ ବୁଦ୍ଧି ଜୁଟୁନଥିବା ବେଳେ ସାହିପଡ଼ିଶା,ବନ୍ଧୁଙ୍କ ଆଂଶିକ ସହଯୋଗ ସମେତ ବଜାର ଗାଁରେ ଅବସ୍ଥିତ ମା’ମଙ୍ଗଳା ଯୁବକ ସଂଘ ଦ୍ୱାରା ସାହାଯ୍ୟ ପାଇ ଶୁଦ୍ଧିକ୍ରିୟା ପାଇଁ ସମର୍ଥ ହୋଇଛନ୍ତି ପରିବାରବର୍ଗ।ସତ୍ୟପ୍ରକାଶ ମାହାଙ୍ଗା ଏରକଣା ସ୍ଥିତ ମହାବିଦ୍ୟାଳୟରେ +୨ ରେ ପାଠ ପଢ଼ୁଥିବା ବେଳେ ବିଶ୍ୱ ସ୍ଥାନୀୟ ଦାମୋଦରଜୀଉ ବିଦ୍ୟାପୀଠ,ବଜାର ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି।

ସାମ୍ପ୍ରତିକ ସମୟରେ ଯୁବକ ସଂଘ ନାଁରେ ବିଭିନ୍ନ ଅସାମାଜିକ ତତ୍ତ୍ୱ ଭିନ୍ନ ଭିନ୍ନ ସ୍ଥାନରୁ ନଜର ଆସୁଥିବା ବେଳେ ମା’ମଙ୍ଗଳା ଯୁବକ ସଂଘ, ବଜାର ଗାଁର ଯୁବକ ମାନଙ୍କ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି।ଜୟନ୍ତୀଙ୍କ ମୃତ୍ୟୁ ପରେ ତାଙ୍କର ଏହି ଅଭାବୀ ସଂସାର ଜୟନ୍ତୀଙ୍କ ଶେଷ କର୍ମ ଏବଂ ଶୁଦ୍ଧିକ୍ରିୟା କରିବା ପାଇଁ ଆର୍ଥିକ ଦୁର୍ବଳ ଥିବା ବେଳେ ଯୁବକ ସଂଘର ସଦସ୍ୟ ଓ ସମାଜସେବୀ ସୁଦୀପ୍ତ କେଶରୀ ସାମଲ ଆଗକୁ ଆସି ସମସ୍ତ ଆର୍ଥିକ ଓ ଶାରୀରିକ ସହଯୋଗ କରିଛନ୍ତି।ତେବେ ଏହି ପରିବାରର ଆବଶ୍ୟକତା ଦୃଷ୍ଟିରୁ ସେମାନଙ୍କୁ ସରକାରୀ ସହାୟତା ଲୋଡ଼ା ରହିଥିବା କୁହନ୍ତି ଯୁବକ ସଂଘ ସଦସ୍ୟ।ସତ୍ୟ ଓ ବିଶ୍ୱଙ୍କ ପାଠପଢା ପାଇଁ ସରକାରୀ ଓ ବେସରକାରୀ ସହାୟତା ମିଳିଲେ ଉଭୟ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇ ପାରନ୍ତା ବୋଲି ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ।

Leave a Reply

Your email address will not be published. Required fields are marked *