Pratidin TV

Odisha's Digital News Platform

ବୁଲିବା ସାଜିଲା କାଳ,ଘାଟିତଳକୁ ଖସିପଡିଲା କାର, ଆଖିବୁଜିଲେ ୩

ଘାଟି ତଳକୁ ଖସିଲା ଏକ କାର । ବୁଲିବାକୁ ଯିବା ଗୋଟେ ପରିବାର ପାଇଁ ହୋଇଗଲା କାଳ । ସମସ୍ତେ ମିଶି ହସଖୁସିରେ ଘରୁ ବାହାରିଥିଲେ । ହେଲେ ସେମାନଙ୍କ ଖୁସି କ୍ଷଣକ ମଧ୍ୟରେ ଉଭେଇ ଯାଇଗଲା । ହଠାତ୍ ଯେମିତି ଦୁଃଖର କଳା ବାଦଲ ପରିବାର ଉପରକୁ ମାଡ଼ି ଆସିଥିଲା । କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଗୋଟେ ପରିବାରର ଚାରି ଜଣଙ୍କ ସଦସ୍ୟ ଯାତ୍ରା କରୁଥିଲେ । ତେବେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟିରେ ତଳକୁ ଖସିପଡିଲା କାର । ମର୍ମନ୍ତୁଦ ଦୁର୍ଘଟଣାରେ ବାପା,ମା’ ଓ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଛନ୍ତି ଝିଅ । ଏହି ଦୁର୍ଘଟଣାରେ ଆହତ ମହିଳାଙ୍କୁ କୋରାପୁଟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି ।

ତାଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କ ଘର ଛତିଶଗଡ଼ ରାଜଗାଓଁରେ ବୋଲି ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ଘଟିବା ନେଇ ସୂଚନା ମିଳିଛି ।ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ନେଇ ଜଣାପଡ଼ିଛି । ଗାଡ଼ିରେ ଥିଲେ ନନ୍ଦଲାଲ ଠାକର, ଗୌରବ ଠାକର, ରଚନା ଠାକର, ନମନ ଠାକର । ଆହତ ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ରଚନା ଠାକର । ବିଶାଖାପାଟଣା ଯିବାବେଳେ କାରଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଗାଡ଼ି ଚଲାଇବା ବେଳେ ଆଖି ଲାଗି ଯିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହୁଥିବା ସୂଚନା ରହିଛି । ଦୁର୍ଘଟଣାରେ ଗାଡ଼ି ଭାଙ୍ଗିରୁଜି ଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *