Pratidin TV

Odisha's Digital News Platform

ପ୍ରସେସନ ବେଳେ ବରଯାତ୍ରୀ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ୫ ଜୀବନ

ବାଜା, ରୋଷଣୀରେ ଦୁଲୁକୁଥିଲା ରାସ୍ତା। ତାଳେ ତଳେ ନାଚଗୀତରେ ନିଜକୁ ହଜାଇ ଦେଇଥିଲେ ବର ଯାତ୍ରୀ । ହସଖୁସିରେ କନିଆ ଘର ଅଭିମୁଖେ ଆଗେଇ ଚାଲିଥିଲେ ବର ଯାତ୍ରୀ। ମାତ୍ର ଏହି ହସ ବେଶି ସମୟ ରହିଲାନି। ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା | ବରଯାତ୍ରୀ ଉପରେ ଚଢ଼ିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌ | ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି।

ତେବେ ସୂଚନା ମୁତାବକ, ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ରୋଷଣୀ କରି ଯାଉଥିବା ବେଳେ ସୁଲତାନପୁରରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ରାସ୍ତା ଉପରେ ନାଚଗୀତରେ ମସଗୁଲ ଥିବା ବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଟ୍ରକ ଚକା ତଳେ ୫ ବର ଯାତ୍ରୀ ଚାପି ହୋଇ ମୃତ୍ୟୁ କରିଥିବା ବେଳେ ୧୧ ବର ଯାତ୍ରୀ ଗୁରୁତର ହୋଇଥିଲେ |

ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆହତ ବର ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ | ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ସେଠାରୁ ସେମାନଙ୍କୁ ଭୋପାଳସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି | ଦୁର୍ଘଟଣା ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।କଲେକ୍ଟର ଅରବିନ୍ଦ ଦୁବେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *