Pratidin TV

Odisha's Digital News Platform

ନୂଆ ଦାୟିତ୍ୱ ଗ୍ରହଣ ପରେ ତତ୍ପର 5T ଅଧ୍ୟକ୍ଷ ; ଭୋର ୪ ଟାରୁ ଆରମ୍ଭ କଲେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

1 min read

ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ 5T ଅଧ୍ୟକ୍ଷ ଓ ନବୀନ ଓଡିଶା ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ବଡିଭୋରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଜି ଭୋର୍ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ ଦାୟିତ୍ଵ ଗ୍ରହଣ ପରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ନୂଆବର୍ଷରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କେପିଙ୍ଗ୍ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ ।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ଆଜିର ସମୀକ୍ଷାରେ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ୟୁଟିଲିଟି ଗୁଡିକର ସ୍ଥାନାନ୍ତର ,ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ମଧ୍ୟ ସେ ଗୁରୁତ୍ଵ ଆରୋପ କରିଥିଲେ । ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ,SP OBCC MD ଏବଂ ବିଭିନ୍ନ ଏକ୍ସ୍ୟୁଟିଙ୍ଗ୍ ଏଜେନ୍ସି ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *