Pratidin TV

Odisha's Digital News Platform

ନକଲି ପୋଲିସଙ୍କ ପୋଲ୍ ଖୋଲିଲେ ୫ମ ମହିଳା, ପୋଲିସ୍ ଡ୍ରେସ୍ ରେ ଫଟୋ ଦେଖେଇ ଠକି ନେଇଛନ୍ତି ୧୦ ଲକ୍ଷ..

ନକଲି ପୋଲିସ କୁ ବାନ୍ଧିଛି ଅସଲି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକ ରେ ଯୁବତୀ ମାନଙ୍କୁ ଫସାଇ ପ୍ରେମ ବିବାହ କରୁଥିଲେ । ଏଭଳି ଜଣେ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ସୁବାସ କଅଁର । ଏବେ ସେହି ନକଲି ପୋଲିସ ଙ୍କର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏବେ ନକଲି ପୋଲିସ ବାବୁଙ୍କର ବାହାରିଛନ୍ତି ପଞ୍ଚମ ପତ୍ନୀ ।ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ପଞ୍ଚମ ପତ୍ନୀ । ମହିଳାଙ୍କୁ ବିବାହ କରି ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ହଡପ କରିଥିଲେ ନକଲି ପୋଲିସ । ଖବର ମୁତାବକ, ସୁବାସ କଅଁର ନିଜକୁ ରାଉରକେଲାର ପୋଲିସ ଇନ୍ସପେକ୍ଟର ମନୋଜ ମିଶ୍ର ବୋଲି କହୁଥିଲା ।

ମନୋଜ ମିଶ୍ର ନାରେ ଫେସବୁକରେ ଫେକ ଆକାଉଣ୍ଟ ମଧ୍ୟ ଖୋଲିଥିଲା । ପୋଲିସ ଡ୍ରେସ ପିନ୍ଧି ଫେସବୁକରେ ପୋଷ୍ଟ କରିଥିଲା ଅଭିଯୁକ୍ତ । ଆଉ ଏହି ଆକାଉଣ୍ଟ ମାଧ୍ୟମରେ ସେ ଯୁବତୀ ମାନଙ୍କ ସହ ଚାଟ୍ କରି ସେମାନଙ୍କୁ ପ୍ରେମ ଜାଲରେ ଫସାଉଥିଲା ।

ଖାଲି ସେତିକି ନୁହଁ ନିଜକୁ ପୋଲିସ କହି ସେ ପାଞ୍ଚ ଜଣଙ୍କୁ ବିବାହ ମଧ୍ୟ କରିଛି । ଆଉ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା । ଆଉ ସତ ଯେପରି ଧରାନପଡେ ସେ ସେମାନଙ୍କୁ ଅଲଗା ଅଲଗା ସ୍ଥାନରେ ରଖୁଥିଲା । ହେଲେ କୌଣସି କାରଣରୁ ତୃତୀୟ ସ୍ତ୍ରୀଙ୍କର ଅଭିଯୋଗ ହେତୁ ସୁବାସ କଅଁରକୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ଯାହାପରେ ସାମ୍ନାକୁ ଆସିଛି ନକଲି ପୋଲିସ ବାବୁଙ୍କର ଗୁମର ।

ସ୍ବାମୀଙ୍କ ଉପରେ ମହିଳାଙ୍କର ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ସୁବାସ କଅଁରଙ୍କ ଜଣେ ୨୫ ବର୍ଷର ପୁଅ ଓ ଝିଅ ମଧ୍ୟ ଥିବା ଜଣାପଡିଛି । ସେ ଟଙ୍କା ଲୋଭରେ ଏପରି କାଣ୍ଡ ଘଟାଉଥିବା କହିଛନ୍ତି ପୋଲିସ ଅଧିକାରୀ । ନକଲି ପୋଲିସ ବାବୁ ସୁବାସ କଅଁର ଏବେ ଝାରପଡା ଜେଲ୍‌ରେ ଅଛନ୍ତି ।ଏହି ଘଟଣାର ଅଧିକ ସତ ଜାଣିବା ପାଇଁ ସୁବାସକୁ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଖଣ୍ଡଗିରି ପୋଲିସ ।

Leave a Reply

Your email address will not be published. Required fields are marked *