Pratidin TV

Odisha's Digital News Platform

ଜେଲରେ ଅଭିନେତାଙ୍କୁ ମିଳୁଛି ଭିଆଇପି ସେବା , ୭ ଅଧିକାରୀ ହେଲେ ସସପେଣ୍ଡ…

ଜେଲ୍ ଭିତରେ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା। ଯାହାର ଫଟୋ ଭିଡିଓ ଏବେ  ଭାଇରାଲ ହେଉଛି । ଫଟୋ ଏବେ ଭିଡିଓ ସାମ୍ନାକୁ ଆସିବାପରେ ଆକ୍ସନ ମୁଡ୍‌ ରେ  କର୍ଣ୍ଣାଟକ ସରକାର। ଏହି ମାମଲାରେ ୭ ଜେଲ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଦର୍ଶନ ଥୁଗୁଦିପା ବେଙ୍ଗାଲୁରୁର ପରପ୍ପନା ଅଗ୍ରାହାରା କେନ୍ଦ୍ରୀୟ ଜେଲରେ ରହିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ଅଭିନେତାଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ଭାଇରାଲ ଫଟୋ ଦେଖି ମୃତ ରେଣୁକାସ୍ୱାମୀଙ୍କ ବାପା ଘଟଣାର ତଦନ୍ତ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ମୃତ ରେଣୁକାସ୍ୱାମୀଙ୍କ ବାପା ଶିବ ଗୋଡା ଦର୍ଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି, ”ଯେତେବେଳେ ଦର୍ଶନ ଘରେ ରନ୍ଧା ଖାଦ୍ୟ ମାଗିଥିଲେ, ଅନୁମତି ଦିଆଯାଇନଥିଲା। ହେଲେ ଏହା କିପରି ଘଟିଲା ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଉଛି । ଏହା ଏକ ଆଶ୍ଚର୍ଯ୍ୟଜନକ ଖବର । ଏହାର ତଦନ୍ତ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ  ସରକାରଙ୍କୁ ଅନୁରୋଧ କରିଛନ୍ତି । ଆମର ପୋଲିସ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି ।”

ଫଟୋରେ ଦର୍ଶନ ଜେଲ ଭିତରେ ଥିବା ପାର୍କରେ ନଜର ଆସିଛନ୍ତି । ସେ ଏକ ଚେୟାରରେ ବସିଛନ୍ତି । ତାଙ୍କ ହାତରେ ଏକ କପ୍ ଅଛି ଏବଂ ଅନ୍ୟ ହାତରେ ସିଗାରେଟ୍ ଧରିଥିବାର ନଜର ଆସିଛନ୍ତି। ଫଟୋରେ ତାଙ୍କ ସହ କିଛି ଅନ୍ୟ କଏଦୀ ମଧ୍ୟ ନଜର ଆସିଛନ୍ତି। ଭାଇରାଲ ଫଟୋ ଲିକ୍ ହେବାର ଗୋଟିଏ ଦିନ ପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଦର୍ଶନ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ । ଏହି ଭିଡିଓରେ ଦର୍ଶନ ହସୁଥିବା ସହ ବନ୍ଧୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ କରୁଥିବାର ନଜର ଆସିଥିଲେ । ଯାହାକୁ ଦେଖି ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ସୂଚନାନୁଯାୟୀ ୩୩ ବର୍ଷୀୟ ଅଟୋ ଚାଳକ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଅଭିନେତା ଦର୍ଶନ ଏବଂ ପାବିତ୍ରା ଗୌଡା ଅଛନ୍ତି। ଜୁନ୍ ୯ରେ ବେଙ୍ଗାଲୁରୁର ଏକ ଡ୍ରେନ୍‌ରୁ କନ୍ନଡ ଅଭିନେତାଙ୍କ ପ୍ରଶଂସକ ରେଣୁକାସ୍ୱାମୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା। ପୁଲିସର ସୂଚନାନୁସାରେ, ଅଭିନେତାଙ୍କ ନିର୍ଦ୍ଦେଶରେ ରେଣୁକସ୍ୱାମୀଙ୍କୁ ଏକ ଗ୍ୟାଙ୍ଗ ଅପହରଣ କରି ହତ୍ୟା କରିଥିଲେ। ​​କାରଣ ସେ ସୋଶାଲ ମିଡିଆରେ ଅଭିନେତ୍ରୀ ପାବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା। ପାବିତ୍ରା ଗୌଡା ଅଭିନେତା ଦର୍ଶନଙ୍କ ସାଥୀ ଅଟନ୍ତି। ଉଭୟ ରିଲେସନଶିପରେ ଥିବା କୁହାଯାଉଛି। ଏହି ମାମଲାରେ ଅଗଷ୍ଟ ୨୧ ତାରିଖରେ ବେଙ୍ଗାଲୁରୁର ଏକ କୋର୍ଟ ଦର୍ଶନ, ପବିତ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *