Pratidin TV

Odisha's Digital News Platform

ମିଳୁନି ୨୨ ବର୍ଷିୟ ମୃତ ଯୁବତୀଙ୍କୁ ନ୍ୟାୟ : ପୁଣି ହିଜାବ ବିରୋଧୀ ଲୋକଙ୍କୁ ଗୁଳିମାଡ , ଚାଲିଗଲା ୮ ଜୀବନ

1 min read

ନୂଆଦିଲ୍ଲୀ : ବଢୁଛି ଆନ୍ଦୋଳନର ନିଆଁ । ମିଳୁନି ୨୨ ବର୍ଷିୟ ମୃତ ଯୁବତୀଙ୍କୁ ନ୍ୟାୟ । ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ବୁଧବାର ଠାରୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବାରୁ ସୁରକ୍ଷାକର୍ମୀଙ୍କ ଦମନ ଲୀଳା ଦେଖିବାକୁ ମିଳିଛି। ହିଜାବ ନ ପିନ୍ଧି ପୁଲିସ୍ ଦ୍ୱାରା ଗିରଫ ପରେ ନିର‌୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ମାନବାଧିକାର ଉପରେ କାର‌୍ୟ୍ୟ କରୁଥିବା ଏନଜିଓ ଆମ୍ନେଷ୍ଟୀ ଇଣ୍ଟରନ୍ୟାଶନାଲ ଏପରି ତଥ୍ୟ ଦେଇଛି। ସଂସ୍ଥା କହିଛି ଯେ ଇରାନ ସୁରକ୍ଷାବଳ ବୁଧବାର ରାତିରୁ ତା’ର ଦମନଲୀଳା ଆରମ୍ଭ କରିଛି। ହିଜାବ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ୮ ଜଣଙ୍କ ଜୀବନ ଯାଇଛି। ସୁରକ୍ଷାକର୍ମୀଙ୍କ ଏପରି ପଦକ୍ଷେପକୁ ସଂସ୍ଥା ନିନ୍ଦା ମଧ୍ୟ କରିଛି।

ବୁଧବାର ମହସାଙ୍କ ମୃତ୍ୟୁର ୪୦ ଦିନ ପୂରଣ ଅବସରରେ ହଜାର ହଜାର ଲୋକ ପଦଯାତ୍ରା ଓ ଗାଡ଼ି ନେଇ ତାଙ୍କ ହୋମ ଟାଉନରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ହଜାର ହଜାର ଲୋକ ବିଶାଳ ରାଲିକୁ ରୋକିବା ପାଇଁ ସୁରକ୍ଷାକର୍ମୀମାନେ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ଶେଷରେ ସେମାନେ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ଗୁଳିମାଡ଼ କରିଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଇରାନରେ ପ୍ରାୟ ୪୦ ଦିନ ପୂର୍ବରୁ ଜଣେ ୨୨ ବର୍ଷୀୟ ଯୁବତୀ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ଦେଶର ନୈତିକ ପୁଲିସ୍ ଗିରଫ କରିଥିଲା। ଗିରଫର ୩ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ହେପାଜତରେ ଥିବା ବେଳେ ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା।

ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଶତାଧିକ ମହିଳା ଓ ଯୁବତୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଇରାନରେ ପ୍ରଚଳିତ ଡ୍ରେସ କୋଡ ଓ କଠୋର ହିଜାବ ପରିଧାନ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଏହାକୁ ଦମନ କରିବା ପାଇଁ ପୁଲିସ୍ ମଧ୍ୟ କଠୋର ପଦକ୍ଷେପ ନେଉଛି। ପୁଲିସ୍ ର ଦମନଲୀଳା ଯୋଗୁ ଏଯାଏ ଶତାଧିକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଲାଣି।

Leave a Reply

Your email address will not be published. Required fields are marked *