ରାଜ୍ୟ ସରକାରଙ୍କ ବଡ ଘୋଷଣା : ନିଯୁକ୍ତି ପାଇବେ ୮ ହଜାର କମ୍ପ୍ୟୁଟର ଶିକ୍ଷକ
1 min readଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତି ପାଇବେ ୮ ହଜାର ନୂଆ କମ୍ପ୍ୟୁଟର ଶିକ୍ଷକ । ପ୍ରାଥମିକ ପର୍ଯ୍ୟାୟରେ ରୂପାନ୍ତରିତ ହାଇସ୍କୁଲଗୁଡିକରେ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ବିଭାଗ ସ୍ତରରେ ନିଷ୍ପତ୍ତି ଚୂଡାନ୍ତ ହୋଇଥିବାବେଳେ ଆଉଟସୋର୍ସିଂ ଜରିଆରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣରେ ଏହି ନିଷ୍ପତ୍ତି ଆଉ ଏକ ନୂଆ ଅଧ୍ୟୟ ସୃଷ୍ଟି କରିବ ବୋଲି ଶିକ୍ଷାବିତ୍ ମାନେ ମତ ଦେଇଛନ୍ତି ।
୫ଟି ହାଇସ୍କୁଲ ରୂପାନ୍ତରଣ ଯୋଜନା ଅଧୀନରେ ରୂପାନ୍ତରିତ ବିଦ୍ୟାଳୟଗୁଡିକରେ କମ୍ୟୁଟର ଶିକ୍ଷକ ନିଯୁକ୍ତି ହେବେ । ଚଳିତ ଶିକ୍ଷାବର୍ଷରୁ ହିଁ ସେମାନଙ୍କୁ ନିଯୁକ୍ତି ମିଳିବ । ତେବେ ରୂପାନ୍ତରିତ ବିଦ୍ୟାଳୟଗୁଡିକରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ତଥା ଡିଜିଟାଲ୍ ପକ୍ରିୟାରେ ପିଲାଙ୍କୁ ପାଠ ପଢାଇବା ପାଇଁ ସେ ଦାୟିତ୍ୱ ନେବେ । ସ୍କୁଲ ରୂପାନ୍ତରିତ ଯୋଜନାରେ ଗୁଣାର୍ମକ ଶୈକ୍ଷିକ ଭିତ୍ତିଭୂମି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ କଳାପଟା ବଦଳରେ ପ୍ରୋଜେକ୍ଟର ଓ ଇ-କଣ୍ଟେଣ୍ଟ ମାଧ୍ୟମରେ ପାଠ ପଢୁଛନ୍ତି । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ୍ରେ ପଢିବା ସହିତ ଗୋଟିକ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ ଲାଗି ଭିତ୍ତିଭୂମି ସୃଦୃଢ ହେଉଛି ।
ସେହିପରି ଡିଜିଟାଲ ଲାଇବ୍ରେରୀ ସ୍ମାର୍ଟ କ୍ଲାସ ରୁମ୍ ଆଦିର ପରିଚାଳନା ପାଇଁ ମଧ୍ୟ କମ୍ପ୍ୟୁଟର ସମ୍ପର୍କିତ ଜ୍ଞାନର ଆବଶ୍ୟକତା ରହିଛି । ଏହାକୁ ଉପଲବ୍ଧି କରି ରାଜ୍ୟ ସରକାର ସ୍କୁଲଗୁଡିକ ପାଇଁ କମ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଶିକ୍ଷକମାନଙ୍କୁ ଆଉଟସୋର୍ସିଂ ପଦ୍ଧତିରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ସମଗ୍ର ଶିକ୍ଷା ଯୋଜନାରେ ଆଇସିଟି ଲ୍ୟାବ୍ ପାଇଁ ନିଯୁକ୍ତି ହୋଇଥିବା କମ୍ୟୁଟର ଶିକ୍ଷକଙ୍କ ଭଳି ଏହି ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ବିଭାଗ ବିଚାରବିମର୍ଶ କରୁଛି । ତେବେ ଏ ସମ୍ପର୍କର ନିଷ୍ପତ୍ତି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜରିଆରେ ଆସନ୍ତା ବୁଧବାର ଦିନ ଗ୍ରହଣ କରାଯିବ ।