Pratidin TV

Odisha's Digital News Platform

୪ ଦିନରେ ବଦଳିଲା ୟାନ୍‌ସେନ୍‌ଙ୍କ ଭାଗ୍ୟ

ମୁମ୍ବଇ: କ୍ରିକେଟ୍‌ ତୁମକୁ ଦିନେ ହିରୋ କରିପାରେ ତ ଦିନେ ଜିରୋ ମଧ୍ୟ କରିପାରିବେ। ଏହି ନିଷ୍ଠରୁ ସତ୍ୟକୁ ବୁଝି ପାରିଛନ୍ତି ସନ୍‌ରାଇଜର୍ସ ହାଇଦରବାଦ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକା ବାମହାତି ପେସ୍‌ ବୋଲର ମାର୍କୋ ୟାନ୍‌ସେନ୍‌। ଗତ ୨୩ରେ ଆତ୍ମବିଶ୍ବାସରେ ସେ ଭରପୂର ଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ୟାନ୍‌ସେନ ତାଙ୍କ ପ୍ରଥମ ଓଭରରେ ଫାଫ୍ ଡୁ ପ୍ଲେସି, ବିରାଟ କୋହଲି ଓ ଅନୁଜ ରାୱତଙ୍କ ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ୟାନ୍‌ସେନ ୨୫ ରନ୍‌ଦେଇ ୩ଟି ୱିକେଟ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ହେଲେ ୪ ଦିନ ପରେ ବୁଧବାର ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଆଇପିଏଲ୍‌ ଇତିହାସରେ ରନ୍‌ର ପିଛା କରୁଥିବା ଦଳ ବିପକ୍ଷରେ ସର୍ବାଧିକ ରନ୍‌ (୬୩) ଦେଇଥିଲେ ମାର୍କୋ ୟାନ୍‌ସେନ। ୨୦୧୯ରେ ଚେନ୍ନଇ ସୁପର କିଙ୍ଗ୍‌ସର ଲୁଙ୍ଗି ଏନ୍‌ଗିଡି ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ୬୨ ରନ୍‌ ଦେଇଥିଲେ। ଗୁଜରାଟ ଲାୟନ୍‌ସ ବିପକ୍ଷ ଏହି ମ୍ୟାଚ୍‌ରେ ୟାନ୍‌ସେନ୍‌ଙ୍କ ବୋଲିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଆର୍‌ସିବି ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବୋଲିଂ ଦେଖି ଗୁଜରାଟ ବିପକ୍ଷରେ ଅନ୍ତିମ ଓଭର ୟାନ୍‌ସେନ୍‌ଙ୍କୁ ବୋଲିଂ କରିବାକୁ ଦେଇଥିଲେ ଅଧିନାୟକ କେନ୍‌ ୱିଲିୟମ୍‌ସନ। ଗୁଜରାଟ ଜିତିବାକୁ ଶେଷ ଓଭରରୁ ୨୨ ରନ୍‌ ଆବଶ୍ୟକ କରୁଥିବା ବେଳେ ୟାନ୍‌ସେନଙ୍କ ପରି ବୋଲର ଏହା ରୋକିପାରିବେ ବୋଲି ସମସ୍ତେ ଭାବିଥିଲେ। ହେଲେ ପ୍ରଥମ ବଲ୍‌ରେ ରାହୁଲ ତିୱତିଆ ଛକା ମାରିବା ପରେ ୨ୟ ବଲ୍‌ରେ ୧ ରନ୍‌ ନେଇଥିଲେ। ୩ୟ ବଲ୍‌ରେ ରସିଦ୍‌ ଖାଁ ଛକା ମାରିଥିଲେ। ୪ର୍ଥ ବଲ୍‌ରୁ ରନ୍ ହୋଇନଥିବା ବେଳେ ଶେଷ ୨ଟି ବଲ୍‌ରୁ ୯ ରନ୍‌ ଆବଶ୍ୟକ ଥିଲା। ଏହି ୨ଟି ବଲ୍‌ରୁ ରସିଦ୍ ଖାଁ ଛକାମାରି ଦଳକୁ ଜିତାଇଥିଲେ।

Leave a Reply

Your email address will not be published. Required fields are marked *