Pratidin TV

Odisha's Digital News Platform

ଭଣ୍ଡ ତାନ୍ତ୍ରିକ ଗୁପ୍ତ ଧନ ନାଁରେ ଠକିନେଲା ୭୨ ଲକ୍ଷ

1 min read

କଟକ : ନିଜକୁ ତାନ୍ତ୍ରିକ କହି ଲୁଟିଥିଲା ୭୨ ଲକ୍ଷ ଟଙ୍କା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା କଟକ ମଙ୍ଗଳା ବାଗ ଥାନା ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ କୈଫିକ ଖାନ ନିଜକୁ ତାନ୍ତ୍ରିକ ସଜେଇ ଦୀର୍ଘ ଦିନରୁ ଲୋକମାନଙ୍କୁ ନିଜ ର୍ଟାଗେଟ୍ ବନାଉଥିଲା । ମିଛ ପୂଜା ପାଠ ଭୂତ ପିଚାସ ନାଁରେ ଲୋକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରି ସେହି ଟଙ୍କାରେ ନିଜେ ୟୈସ୍ କରୁଥିଲା । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି। ଏଥିସହ ତାହାଠାରୁ ଦାମୀ କାର୍, ନକଲି ହୀରା, ସୁନା, ରୁପା ଓ ଅନ୍ୟାନ୍ୟ ଷ୍ଟୋନ୍ ଜବତ କରିଛି। ସେ ଅନେକ ଲୋକଙ୍କୁ ଏମିତି ଠକିଥିବା ପୋଲିସ କହିଛି।

ପୋଲିସର ସୂଚନା ଅନୁଯାୟୀ ଠକ ତାନ୍ତ୍ରିକ କୈଫିକ ଲୋକମାନଙ୍କୁ ନିଜ କଥାରେ ଫସାଇ ତନ୍ତ୍ରବିଦ୍ୟାର ମିଛ ନାଟକ କରି ଚୂନ ଲଗାଉଥିଲା । ଆଉ ଏସବୁରେ ସେ ମାହିର ଥିଲା । ନିଜ କାମକୁ ଏତେ ସଫା ସୁତରା ସହ କରୁଥିଲା ଯେ କେହିବି ତା ଉପରେ ସହଜରେ ଅବିଶ୍ୱାସ କରିପାରେବେନି । ଗୁଣିଗାରେଡି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା। ତାସହ ମାଟିତଳେ ଗୁପ୍ତଧନ ରହିଲେ ସେସବୁ ଲୋକମାନଙ୍କ ପାଇଁ ଅମଙ୍ଗଳ ବୋଲି ମଧ୍ୟ ବିଶ୍ୱାସ ଜତାଉଥିଲା । ଆଉ ତାର ସେହି ଚାଲରେ ଫସି ଯାଇଥିଲେ ମଙ୍ଗଳବାଗ ଥାନା ଅଞ୍ଚଳର ଜଣେ ମହିଳା। କଥାବାର୍ତ୍ତା ପରେ ମୌଲାନା ତାଙ୍କ ଘରକୁ ଯାଇଥିଲା। ଅନ୍ଧାର ଘର ଭିତରେ ଘଣ୍ଟା ଘଣ୍ଟା ଧରି ପୂଜା ଅର୍ଚ୍ଚନା କରୁଥିଲା ।ଆଉ ଏହି ବାହାନାରେ ଘର ଭିତରେ ଗାତ ଖୋଳି ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ପୋତି ଦେଉଥିଲା। ତା’ପରେ ପୋତିଥିବା ସ୍ଥାନରେ ନିୟମିତ ଭାବେ ପୂଜା କରୁଥିଲା। ସେହି ଘର ଭିତରକୁ କାହାକୁ ଛାଡ଼ୁ ନଥିଲା।

Advertisement

ଏହାର କିଛିଦିନ ପରେ ପୂଜା ବିଧି କରି ମହିଳା ଓ ତାଙ୍କ ପରିବାର ସାମ୍ନାରେ ଘର ଭିତରେ ଖୋଳି ପୋତିଥିବା ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ବାହାର କରୁଥିଲା। କିନ୍ତୁ ପରିବାରର କାହାରିକୁ ମଧ୍ୟ ତାକୁ ଛୁଇଁବାକୁ ଦେଉନଥିଲା । ଏବଂ ତାଙ୍କୁ ସୁଦ୍ଧ କରିବା ପାଇଁ ମହିଳାଙ୍କ ଠାରୁ ପୁନଶ୍ଚ ୪୨ ହଜାର ଟଙ୍କା ଳେଖାଏଁ ନେଇଥିଲା । ଏହା ପୂର୍ବରୁ ଘର ସୁଦ୍ଧି ତନ୍ତ୍ର ପୂଜା ପାଠ ପାଇଁ ୧୦ ଲକ୍ଷ ୧୦ ଲକ୍ଷ କରି ଅନେକ ଟଙ୍କା ଲୁଟିଛି । ମହିଳାଙ୍କ ସନ୍ଦେହ ବଢିବାରୁ ସେ ଶେଷରେ ସେ ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ । ଏହାପରେ ଠକ ତାନ୍ତ୍ରିକ ନାଁରେ ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗ ଆଧାରରେ ପୋଲିସ କୈଫିକ ଖାନକୁ ଗିରଫ୍ କରିବା ସହ ତାଠାରୁ ନଗଦ ୨୭୬୦୦୦ ଟଙ୍କା, ଗୋଟିଏ ବୁଲେଟ୍, ଦୁଇଟି ଲକ୍ଜୁରିୟସ୍ କାର୍, ୭୦ଟି ନୂଆ ମୋବାଇଲ୍, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସ୍ବୁକ୍, ଚେକ୍ବୁକ୍, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଛି।

Leave a Reply

Your email address will not be published. Required fields are marked *