Pratidin TV

Odisha's Digital News Platform

ନିରାଶ କଲେ ରୋହିତ, କୋହଲି; ଆସିବେନି ବାରବାଟୀ

1 min read

ମୁମ୍ବାଇ/ଭୁବନେଶ୍ବର : ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଓଡ଼ିଶା ଦର୍ଶକ ହିଟ୍ ମ୍ୟାନ୍ ରୋହିତଙ୍କ ଛକାମାଡ଼ ସହ ବିରାଟ କୋହଲିଙ୍କ ବ୍ୟାଟିଂ କମାଲ ଦେଖି ପାରିବେ ନାହିଁ। ସେହିଭଳି ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ବୋଲିଂ ଦେଖିବାରୁ ବି ବଞ୍ଚିତ ହେବେ। କାରଣ ଏହି ଶୃଙ୍ଖଳା ଲାଗି ଆଜି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଏମାନେ ସ୍ଥାନ ପାଇ ନାହାନ୍ତି। ସମସ୍ତଙ୍କୁ ଲମ୍ବା ଆଇପିଏଲ୍ ଋତୁ ପରେ ବିଶ୍ରାମ ଦିଆଯାଇଛି। ପାଞ୍ଚବର୍ଷର ବ୍ୟବଧାନ ପରେ ବାରବାଟୀରେ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳାଯିବାର ଥିଲା ବେଳେ ଏମାନଙ୍କ ଅନୁପସ୍ଥିତି ଘରୋଇ ପ୍ରଶଂସକଙ୍କୁ ନିଶ୍ଚିତ ଭାବେ ନିରାଶ କରିବ।

ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ଦକ୍ଷିଣ ଆଫ୍ରିକା ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡ ଗସ୍ତକୁ ଆଖି ଆଗରେ ରଖି ଏହି ଶୃଙ୍ଖଳାରୁ ଆଶାଜନକ ଭାବେ ନିୟମିତ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଆଇପିଏଲ୍ ପ୍ରଦର୍ଶନ ଆଧାରରେ ଜମ୍ମୁ କାଶ୍ମୀର ତଥା ସନ୍‌ରାଇଜର୍ସ
ହାଇଦ୍ରାବାଦର ଦୁର୍ଦ୍ଧର୍ଷ ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଏବଂ ପଞ୍ଜାବ କିଙ୍ଗ୍ସର ପ୍ରତିଭାବାନ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପ୍ରଥମ ଥର ଲାଗି ଭାରତୀୟ ସୀମିତ ଓଭର ଦଳକୁ ଡାକରା ପାଇଛନ୍ତି। ଚଳିତ ଆଇପିଏଲ୍‌ରେ ନିୟମିତ ଭାବେ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବଲ୍ ପକାଇ ଚର୍ଚ୍ଚାକୁ ଆସିଥିବା‌ ଉମ୍ରାନ୍ ୧୪ ମ୍ୟାଚ୍ ଖେଳି ୨୨ ୱିକେଟ୍ ଦଖଲ କରିଛନ୍ତି। ସେହିଭଳି ଅର୍ଶଦୀପ ଜଣେ ଶ୍ରେଷ୍ଠ ଶେଷ ଓଭର ବୋଲର ଭା‌ବେ ନିଜକୁ ସ୍ଥାପିତ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। ବହୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ କେଏଲ୍ ରାହୁଲଙ୍କୁ ଅଧିନାୟକ ଏବଂ ଋଷଭ ପନ୍ତଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗୁଜରାଟ ଟାଇଟନ୍ସର ଅଧିନାୟକ ଓ ତାରକା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ୱି‌କେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଫେରିଛନ୍ତି। ଉଭୟ ଚଳିତ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଓପନର ଶିଖର ଧାୱନଙ୍କୁ କିନ୍ତୁ ଚୟନକର୍ତ୍ତା ବିଚାରକୁ ନେଇ ନାହାନ୍ତି। ଦୀପକ ଚହର, ରବୀନ୍ଦ୍ର ଜାଦେଜା,ସୂର୍ଯ୍ୟକୁମାର ଯାଦବ ସଂପୂର୍ଣ୍ଣ ଫିଟ୍ ନଥିବାରୁ ଦଳରେ ସୁଯୋଗ ପାଇ ନାହାନ୍ତି।

Advertisement

Leave a Reply

Your email address will not be published. Required fields are marked *