ଟାଇଟନ୍ସ-ରୟାଲ୍ସ କ୍ବାଲିଫାୟାର୍ ଆଜି: ବାଧା ସୃଷ୍ଟି ହେଲେ ‘ସୁପର୍ ଓଭର’
1 min readକୋଲକାତା: ଶାଣିତ ବୋଲିଂ ଆକ୍ରମଣ ସହ କ୍ବାଲିଟି ଫିନିସର୍ଙ୍କୁ ପାଇଥିବା ପ୍ରଥମ ପଦାର୍ପଣକାରୀ ଗୁଜରାଟ ଟାଇଟନ୍ସ ମଙ୍ଗଳବାର ସ୍ପିନ୍ ଉପରେ ନିର୍ଭରଶୀଳ ରାଜସ୍ଥାନ ରୟାଲ୍ସକୁ ପ୍ରଥମ କ୍ବାଲିଫାୟାର୍ରେ ଭେଟିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଗୁଜରାଟ ନିଶ୍ଚିତ ଫେବରିଟ୍ ରହିବ। ପ୍ରଥମ ଥର ପାଇଁ ଏକ ଆଇପିଏଲ୍ ଦଳର ନେତୃତ୍ବ ନେଇଥିବା ହାର୍ଦିକ ପାଣ୍ଡ୍ୟା ଉେଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ଅଲରାଉଣ୍ଡ୍ ପ୍ରଦର୍ଶନ କରି ଉଦାହରଣ ଛାଡ଼ିଛନ୍ତି। ରସିଦ୍ ଖାନ୍ଙ୍କ ଡେଥ୍ ବୋଲିଂ ଏବଂ ଉପଯୋଗୀ ଫିନିସିଂ ଭୂମିକା ଦଳକୁ ଫାଇଦା ଦେଇଛି। ଶୀର୍ଷକ୍ରମରେ ଶୁବମନ ଗିଲ, ଋଦ୍ଧିମାନ ସାହାଙ୍କ ଠାରୁ ଭଲ ଆରମ୍ଭ ପାଇଥିବା ଦଳକୁ ଡେଭିଡ୍ ମିଲର୍, ରାହୁଲ ତିୱାତିଆ, ମାଥ୍ୟୁ ୱେଦ୍ ପ୍ରମୁଖ ସନ୍ତୁଳିତ ଓ ଶକ୍ତିସମ୍ପନ୍ନ କରିଛନ୍ତି। ଇଡେନ୍ ଗାର୍ଡେନ୍ସର ନୂଆ ଟ୍ରାକ୍ରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ ପାଣ୍ଡ୍ୟା ପେସ୍ ବୋଲିଂ ଉପରେ ଅଧିକ ନିର୍ଭର କରିବା ଯୋଜନା ରଖିଛନ୍ତି। ଲୋକି ଫର୍ଗୁସନ୍, ମହମ୍ମଦ ସାମିଙ୍କ ସହିତ ଅଲଜାରି ଯୋସେଫଙ୍କୁ ଯୋଡ଼ିବା ଯୋଜନା କରିଛି। ଲିଗ୍ ପର୍ଯ୍ୟାୟରେ ପରସ୍ପରକୁ ଥରେ ଭେଟିଥିବା ଟାଇଟନ୍ସ ୩୭ ରନ୍ରେ ସଞ୍ଜୁ ସାମସନଙ୍କ ଦଳକୁ ହରାଇଥିଲା। ଟାଇଟନ୍ସ ମଧ୍ୟ ନିଜ ଶେଷ ୫ଟିରୁ ୩ଟି ହାରିଥିବାରୁ ଚାପରେ ପଡ଼ିଛି। ଟାର୍ଗେଟ ସେଟ୍ କରି ଉଭୟ ଦଳ ଜିତିବାରେ ଏ ବର୍ଷ ସକ୍ଷମ ହୋଇନାହାନ୍ତି। ଟାଇଟନ୍ସର ୪ ପରାଜୟରୁ ୩ଟି ଏବଂ ରୟାଲ୍ସର ୫ ପରାଜୟରୁ ୪ଟି ଏଭଳି ପରିସ୍ଥିତିରେ ଆସିଛି।
ସଞ୍ଜୁ ସାମସନଙ୍କ ଦଳ ମଧ୍ୟ ଏବେ ଅଗ୍ରଣୀ ରନ୍ ସଂଗ୍ରହକାରୀ (ଜୋସ୍ ବଟଲର୍) ଏବଂ ଅଗ୍ରଣୀ ବୋଲର (ୟୁଝବେନ୍ଦ୍ର ଚହଲ)ଙ୍କ ସେବା ବଳରେ ଆଗକୁ ବଢ଼ିଛି। ମଙ୍ଗଳବାର ଉଭୟ ଛାପ ଛାଡ଼ିଲେ ରୟାଲ୍ସ ଫାଇନାଲ୍ ପହଞ୍ଚିବା ଥୟ। ବଟଲର୍ କିନ୍ତୁ ଗତ ୩ ମ୍ୟାଚ୍ରେ ୨,୨,୭ ରନ୍ କରି ନିରାଶ କରିଛନ୍ତି। ପୂର୍ବରୁ ୩ ଶତକ ଓ ୩ ଅର୍ଦ୍ଧଶତକ ଜମାଇଥିବା ବଟଲର୍ ଫର୍ମକୁ ଫେରିବା ରୟାଲ୍ସ ଆଶା କରିବ। ସାମସନ ଓ ହେଟମାୟରଙ୍କ ବ୍ୟାଟିଂ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ରହିଛି।
ଗୁଜରାଟ ଟାଇଟନ୍ସ (ସମ୍ଭାବ୍ୟ ୧୧): ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର୍, ଅଭିନବ ମନୋହର, ଶୁବମନ ଗିଲ୍, ଋଦ୍ଧିମାନ ସାହା, ମାଥ୍ୟୁ ୱେଦ୍, ଅଲଜାରି ଯୋସେଫ, ଲୋକି ଫର୍ଗୁସନ୍, ମହମ୍ମଦ ସାମି, ରସିଦ୍ ଖାନ୍, ଆର୍ ସାଇ କିଶୋର।