Pratidin TV

Odisha's Digital News Platform

ବିଜ୍ଞାନ ନା ଚତ୍ମକାର ; ଦେବୀ ନଦୀରେ ଭାସୁଛି ପଥର ….

ନିମାପଡା : ତ୍ରେତୟା ଯୁଗରେ ଘଟିଥିବା ଏକ ବଡ ଚତ୍ମକାରର ପୁନରାବୁତ୍ତି ହୋଇଛି ବୋଲି ପୁରୀ ଜିଲ୍ଲାରେ ଚାଲିଛି ଚର୍ଚ୍ଚା । ପ୍ରଭୁ ଶ୍ରୀ ରାମଚନ୍ଦ୍ର ତ୍ରେତୟା ଯୁଗରେ ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ରାମ ସେତୁ ନିର୍ମାଣ କରିଥିଲେ । ସେହି ସେତୁ ନିର୍ମାଣ ସମୟରେ ପଥରକୁ ପାଣିରେ ପକାଇଥିବାରୁ ତାହା ବୁଡିଯାଉଥିଲା । କିନ୍ତୁ ବାନର ମାନଙ୍କ ଭିତରେ ନଳ ନୀଳ ନାମକ ଦୁଇ ବାନରଙ୍କୁ ମିଳିଥିବା ଅଭିଶାପ ସେଠାରେ ବରଦାନ ପାଲଟିଥିଲା । ନଳ ନୀଳ ପାଣିକୁ ପକାଉଥିବା ପ୍ରତ୍ୟକ ଜିନିଷ ନବୁଡି ଭାସୁଥିଲା । ଫଳରେ ନଳ ନୀଳ ଉଭୟଙ୍କ ହାତରେ ନଦୀରେ ପଥର ପକାଇ ସେତୁ ନିର୍ମାଣ କରାଯାଇଥିବା କଥା ଆମ ସଭିଙ୍କୁ ଜଣା । କିନ୍ତୁ ଏଭଳି କିଛି ଘଟଣା ବର୍ତ୍ତମାନ ପୁରୀ ଜିଲ୍ଲାର ନିମାପଡା ଅଞ୍ଚଳରେ ଦେଖାଦେଇଛି । କିଛି ଏହାକୁ ଚତ୍ମକାର କହୁଥିବା ବେଳେ କିଛି ଏହାକୁ ବିଜ୍ଞାନର କାରଣ ଦର୍ଶାଇଛନ୍ତି ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସିପୂରୁ ପଞ୍ଚାୟତ ସାନହୁଲି ଗ୍ରାମରେ ଗ୍ରାମର ସୁକାନ୍ତ ଭୋଇ ଓ ସାଙ୍ଗ କୁସ ବେହେରା ନିକଟସ୍ଥ ଦେବୀ ନଦୀକୁ ମାଛ ଧରିବାକୁ ଯାଇଥିଲେ । ନଦୀରେ ଜାଲ ପକାଇବା ସମୟରେ ନଦୀରେ କିଛି ଜିନିଷ ଆସି ତାଙ୍କ ଦେହରେ ମାଡ ହୋଇଥିଲା । ସୁକାନ୍ତ ତାକୁ ପାଣିର ଫେଣ ଭାବି ଗୋଡରେ ଆଡେଇ ଦେଇଥିଲେ । କିନ୍ତୁ କିଛି ସମୟ ପରେ ସେହି ଜିନିଷ ପୁଣିଥରେ ତାଙ୍କ ଦେହରେ ପିଟି ହୋଇଥିଲା । ଏହାପରେ ସୁକାନ୍ତ ଓ କୁଷ ଉଭୟ ମିଶି ସେହି ଜିନିଷଟିକୁ ପାଣିରୁ ଉଠାଇବାକୁ ଚେଷ୍ଟା କରିବା ସମୟରେ ଜାଣିବାକୁ ପାଇଥିଲେ ତାହା ପଥର । ଏତେ ଓଜନିଆ ପଥର ନଦୀରେ କିଭଳି ଭାସୁଛି ? ଏହି କଥାଟି ଦୁହିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଦୁହେଁ ସେଠାରେ ମାଛ ଧରା ଛାଡି ତୁରନ୍ତ ପଥରକୁ ପାଣିରୁ ଛାଣି ଏକ ବ୍ୟାଗରେ ପୁରାଇ ଘରକୁ ଫେରିଆସିଥିଲେ । ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ । ଘରଲୋକ ସୁକାନ୍ତଙ୍କୁ ସେହି ପଥରକୁ ଏକ ପାଣି ପାତ୍ରରେ ରଖିବାକୁ କହିଥିଲେ । ଏହାପରେ ସୁକାନ୍ତ ଘରେ ଥିବା ଏକ ବଡ ପାତ୍ରରେ ପାଣି ରଖି ୪ରୁ ୫ କିଲୋ ଓଜନର ସେଇ ପଥରକୁ ସେଥିରେ ଛାଡିଥିଲେ । ଯାହା ଦେଖି ପରିବାର ସହ ଗାଁ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ସେହି ପାତ୍ରରେ ମଧ୍ୟ ଭାସିଥିଲା ପଥର । ବର୍ତ୍ତମାନ ସୁକାନ୍ତଙ୍କ ଘରଲୋକ ଏହାକୁ ଭଗବାନଙ୍କ କିଛି ଚତ୍ମକାର ଶକ୍ତି ଭାବି ପୂଜାଅର୍ଚ୍ଚନା ଚଳାଇଛନ୍ତି । ଏହା ସହ କୌଣସି ଅଲୌକିକ ଶକ୍ତି ବଳରେ ଏହି ପଥର ଟି ଭାସୁଛି ବୋଲି ଗ୍ରାବାସୀମାନେ ମତ ପ୍ରକାଶ କରିଛନ୍ତି ।

ତେବେ ଏହି ପଥର ଭାସିବା ପଛରେ କଣ ରହିଛି ପ୍ରକୃତ କାରଣ ? କଣ ଲାଗୁଛି ଆପଣମାନଙ୍କୁ ? କାହିଁ କି ପାଣିରେ ଭାସୁଛି ଏପରି ପଥର ? କୌଣସି ଅଲୌକିକ ଶକ୍ତି ନା ବିଜ୍ଞାନର କାରଣ ?କଣ ଲାଗୁଛି ଆପଣମାନଙ୍କୁ କମେଣ୍ଟ ବକ୍ସରେ ଜଣାନ୍ତୁ …

Leave a Reply

Your email address will not be published. Required fields are marked *