ମଜୁରୀ ଲାଗୁଛି ପାଠୁଆ ଝିଅ …
1 min readଦେଓଗଡ : ନିଜ ଛୁଆ ମାନଙ୍କୁ ନେଇ ବାପାମା’ଙ୍କର ଅନେକ ସ୍ୱପ୍ନ ଥାଏ । ଛୁଆବଡ ହୋଇ ଭଲ ପାଠ ପଢନ୍ତୁ , ବଡ ଚାକିରୀ କରନ୍ତୁ ଆଉ ୱେଲ ସେଟେଲ ହୁଅନ୍ତୁ । କୌଣସି ବାପା ମା କେବେ ଚାହିନଥାନ୍ତି କି ତାଙ୍କ ଛୁଆ କେବେ ତାଙ୍କ ଆଖି ସାମ୍ନାରେ ମୂଲ ଲାଗୁ । କିନ୍ତୁ ପରିସ୍ଥିତି ଆଗରେ ହାର ମାନି ନିଜ ଏକ ମାତ୍ର ପାଠୁଆ ଝିଅକୁ ପ୍ରତ୍ୟକ ଦିନ ମୂଲ ଲାଗୁଥିବାର ଦେଖୁଛନ୍ତି ଏଇ ବାପା ମା । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଟାଇଁସର ଗ୍ରାମରେ ।
ଗ୍ରାମର ଭିକାରି ଚରଣ ସାହୁ , ବୟସ ମାତ୍ର ୬୨ ବର୍ଷ ,ଆଜିକୁ ୪ବର୍ଷ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିରହିଛନ୍ତି । ସ୍ତ୍ରୀ ଜୁଆତି ମଞ୍ଜରୀ ସାହୁ ମଧ୍ୟ ୩ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ବସିବା ପାଇଁ ଅଛି ହୁଇଲ ଚେୟାର ନାଁ ଚଳିବା ପାଇଁ ସାମର୍ଥ୍ୟ । ଝିଅ ସମ୍ବଲପୁର ଠାରେ ପାଠ ପଢିବା ସମୟରେ ପାର୍ଟ ଟାଇମ ଚାକିରୀ କରି ଔଷଧ ଯୋଗାଉଥିଲେ । ହେଲେ ଘରର ଏକମାତ୍ର ଝିଅ ହୋଇଥିବାରୁ ପରିସ୍ଥିତି ଟାଣି ଆଣିଲା ଗାଁ କୁ ଆଉ ବାଧ୍ୟ କଲା ମୂଲ ଲାଗିବାକୁ । ଘରର ଅର୍ଥିକ ଅବସ୍ଥା ସହ ବାପା ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।ଏନେଇ ଝିଅ ଗେଲି ସାହୁ ଶେଷରେ ନିଜ ପାଠ ପଢା ଛାଡି ମୂଲ ଲାଗିବାକୁ ବାଧ୍ୟ ହୋଇଛନ୍ତି ।
ତେବେ ଏହି ଗରିବ ଅସହାୟ ପରିବାରକୁ ଆଜିଯାଏଁ ମଧ୍ୟ ପ୍ରଶାସନର କୌଣସି ସାହାର୍ଯ୍ୟ ମିଳିପାରିନାହିଁ । ଏନେଇ ଝିଅ ଗେଲି ଦେବଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହିତ ବାପା ମା ଙ୍କୁ ଉନ୍ନତ ଚିକତ୍ସା ସହ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ପରିବାରର ପରିସ୍ଥିତି ଏତେ ଖରାପ ଯେ ଔଷଧ କିଣିବା ପାଇଁ, ଖାଇବା ପାଇଁ ପାଖରେ ଟଙ୍କାଟିଏବି ନାହିଁ । ମୁଲ ଲାଗି ଯାହା ଦୁଇ ପଇସା ଆଣନ୍ତି ସେଥିରେ ଘର ଚଳେ । ଅନ୍ୟପଟେ ବିଛଣାରେ ସବୁବେଳେ ଶୋଇ ରହୁଥିବାରୁ ବୃଦ୍ଧ ବାପାଙ୍କୁ ଏକାକି ଖଟ କି ଚେୟାର ଉପରକୁ ସ୍ଥାନାନ୍ତର କରିବା ସମ୍ଭବ ହେଉନାହିଁ । ଏନେଇ ଝିଅ ଗେଲି ସାହୁ ଗଣମାଧ୍ୟମ ଆଗରେ ନିବେଦନ କରି କହିଛନ୍ତି ଯେ ଯଦି ସରକାର ତାଙ୍କୁ ପକ୍କାଘର ଖଣ୍ଡିଏ ଯୋଗାଇ ଦିଅନ୍ତ ଏବଂ ବାପା ଓ ମାଙ୍କ ଏକ ଭତ୍ତା କରାଇଦିଅନ୍ତେ ତେବେ ସେ ବହୁତ ଉପକୃତ ହୁଅନ୍ତେ । ତେବେ ଦେଖିବା ବାକି ରହିଲା ଯେ କେତେ ଶୀଘ୍ର ଏହି ଅସହାୟ ଗରିବ ପରିବାରକୁ ପ୍ରଶାସନର ସହାର୍ଯ୍ୟ ମିଳୁଛି । ନା ଏହି ପଢୁଆ ଝିଅ ସବୁଦିନ ପାଇଁ ମଜୁରୀଆ ବନିଯାଉଛି ।