କୁଜଙ୍ଗ ବିଡ଼ିଓଙ୍କ ଦାଦାଗିରି : ବିଚ୍ ରାସ୍ତାରେ ଯୁବକଙ୍କୁ ମାରିଲେ ମାଡ଼
1 min readପାରାଦ୍ୱୀପ : ବିଡିଓ ବାବୁଙ୍କ ଦାଦଗିରି । ବିଚ୍ ରାସ୍ତାରେ ଭୁଲିଗଲେ ହିତାହତ ଜ୍ଞାନ , ଯୁବକଙ୍କୁ ପିଛାକରି ମାରିଲେ ମାଡ । ରାସ୍ତା ଉପରେ ଏଭଳି ଦୃଶ୍ୟ ଦେଖି କିଛି ସମୟ ପାଇଁ ଅବାକ୍ ହୋଇପଡିଥିଲେ ଲୋକ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନଥିଲା ଯେ ଏଭଳି କଣ ଘଟଣା ଘଟିଲା ଯାହାକୁ ନେଇ ଜଣେ ପ୍ରଶାସନିକ ଅଧିକାରୀ ଯୁବକଙ୍କୁ ବିଚ ରାସ୍ତା ଉପରେ ମାଡ଼ ମାରିବାକୁ ପଛାଇଲେ ନାହିଁ ।
ଏଭଳି ଏକ ଅଭାବନୀୟ ଘଟଣା ପାରାଦ୍ୱୀପ ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି । ନିକଟରେ କୁଜଙ୍ଗ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ବିଚ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତେବେ ଭିଡିଓ ଭାଇରାଲ ହେବାପରେ ବିଡିଓ ମହାଶୟ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗତକାଲି ସେ ଜଣେ ଜୈନିକ କର୍ମଚାରୀଙ୍କ ସ୍କୁଟିରେ ବସି ବ୍ଲକ୍ କାର୍ୟ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ଅତି ପାଖରୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ ଏବ୍ଂ ହାତ ଦେଖାଇ ଗାଡି ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲେ । ଯାହାକୁ ନେଇ ରାଗିଯାଇଥିଲେ ବିଡ଼ିଓ ମହାଶୟ । ଅଶ୍ଲୀଳ ଭାଷା ଶୁଣି ବରଦାସ୍ତ କରି ପାରିନଥିଲେ ସଙ୍ଗେସଙ୍ଗେ ସମ୍ପୃକ୍ତ ଯୁବକଙ୍କୁ ରାସ୍ତାରେ ଅଟକାଇ ଚାପୁଡା ମାରିଥିବା ନେଇ ନିଜେ ସ୍ଵୀକାର କରିଛନ୍ତି ସେ ।
ତେବେ ସମ୍ପୃକ୍ତ ଯୁବକକୁ ବିଡିଓ ପୂର୍ବରୁ ଚିହ୍ନିନଥିବା ଏବ୍ଂ ପଛରେ ତାର ନାମ ଦୁର୍ଗା ଚରଣ ପରିଡା ବୋଲି ଶୁଣିବାକୁ ମିଳିଥିବା କଥା ଖୋଦ ବିଡିଓ ପ୍ରକାଶ କରିଛନ୍ତି । କୁଜଙ୍ଗ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ବର୍ତ୍ତମାନ ପର୍ୟ୍ୟନ୍ତ ହୋଇ ନଥିବା ଜଣାପଡ଼ିଛି । ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଯଦି କେହି ଗାଳିଗୁଲଜ କରିଛି ତେବେ ତୁରନ୍ତ ପୋଲିସକୁ ଫୋନ କରିଥିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତେ । କିନ୍ତୁ ବିଡ଼ିଓ ନିଜେ ମାଡ଼ ମାରିବା କେତେ ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।