କଂଗ୍ରେସ ହାତ ଛାଡିଲେ ଅଜିତ ପାୱାର ! ବନିଲେ ଉପ-ମୁଖ୍ୟମନ୍ତ୍ରୀ …
1 min readମୁମ୍ବାଇ : ଦୁଇଫାଳ ହେଲା ଜାତୀୟ କଂଗ୍ରେସ । ଅଲଗା ହେଲେ ଶରଦ ପାୱାର ଓ ଅଜିତ ପାୱାର ! ଖବର ଅନୁଯାୟୀ ଶରଦ ପାୱାରଙ୍କ ସମେତ କିଛି ନେତା ଓ ବିଧାୟକ ଏବେ ବି ଉଦ୍ଧବ ଠାକରେ ଓ କଂଗ୍ରେସ ସହ ରହିଥିବା ବେଳେ ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।
ସମର୍ଥନ ପରେ ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। କିନ୍ତୁ ଆଜି ସତକୁ ସେ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି। ଏହା ବଦଳରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି।