Pratidin TV

Odisha's Digital News Platform

ପାରାଦ୍ୱୀପରେ ପାନୀୟଜଳ ସଙ୍କଟ : ଚୋରୀ ହେଉଛି ଭୂତଳ ଜଳ

1 min read

ପାରାଦ୍ୱୀପ : ପାରାଦ୍ୱୀପରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ । ପୌର ପାଳିକା ତରଫରୁ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ମୁନିସିପାଲିଟିର ବିଭିନ୍ନ ଅଞ୍ଚଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିମୟରେ ବୋରିଂ କରି ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ପିଇବା ପାଇଁ ଅନୁପଯୁକ୍ତ । ଏହାର ମୁଖ୍ୟ କାରଣ ପାଲଟିଛି କିଛି ଅସାଧୁ ବ୍ୟକ୍ତି ବିଶେଷ ମାନେ କରୁଥିବା ବେଆଇନ ଭୂତଳ ଜଳର ବ୍ୟବସାୟୀ କରଣ । ଯାହାର ପରିଣାମ ଭୋଗୁଛନ୍ତି ପାରାଦ୍ୱୀପ ଅଞ୍ଚଳ ବାସୀ । ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ମାନେ ଧର୍ମକୁ ଆଖିଠାର ସଦୃଶ ଉକ୍ତ ସ୍ଥାନ ପରିଦର୍ଶନ କରି ଫେରିଯାଉଥିବା ସହ ସେମାନଙ୍କ ରୋଜଗାରର ମାଧ୍ୟମ ପାଲଟୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିବା ସହିତ ଭୁତଳ ଜଳ ବ୍ୟବସାୟୀକରଣ କରୁଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନଙ୍କ ଉପରେ ଆଇନଗତ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ପାରାଦ୍ୱୀପ ବିଧାୟକ ଓ ପୌରାଧ୍ୟକ୍ଷ ।

ପାନୀୟ ଜଳ ସଙ୍କଟ ଦେଇ ଗତି କରୁଛନ୍ତି ପାରାଦ୍ୱୀପ ଅନ୍ତେବାସୀ । ଦିନଥିଲା ଯେଉଁ ଅଞ୍ଚଳରେ ଶହେଫୁଟ ତଳେ ମଧୁର ଜଳ ମିଳୁଥିଲା ହେଲେ ଆଜି ହଜାର ହଜାର ଫୁଟ ଖୋଳିଲେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ମିଳିବା କଷ୍ଟକର ହୋଇପଡିଛି । ଯାହାର ମୁଖ୍ୟ କାରଣ ପାଲଟିଛି ବେଆଇନ ଭାବରେ ଭୁତଳ ଜଳର ବ୍ୟବସାୟୀ କରଣ । କିଛି ଶିଳ୍ପସଂସ୍ଥା ସେମାନଙ୍କ ପ୍ରକଳ୍ପ କାର୍ଯ୍ୟା ନିମନ୍ତେ ସରକାରୀ ଭାବରେ ପାଣି ନେଇନଥିବା ବେଳେ ପାଣିର ଆବଶ୍ୟକ ତା ପୂରଣ ପାଇଁ କିଛି ସଂସ୍ଥା ବା ବ୍ୟବସାୟୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଯାହାଦ୍ୱାରା ଏହି ବ୍ୟବସାୟୀ ମାନେ ପାଇପ ଯୋଗେ ବୋରିଂ କରି ପାଣି ଉଠାଇ ଟ୍ୟାଙ୍କଲର ସାହାଯ୍ୟରେ ପ୍ରତିଦିନ ଶହ ଶହ ଟ୍ରିପ ପାଣି ସପ୍ଲାଇ କରି ଭଲ ରକମର ମୁନାଫା ରୋଜଗାର କରୁଥିବା ବେଳେ ସାଧାରଣ ଲୋକ ଏହାର ପରିଣାମ ଭୋଗୁଛନ୍ତି । ପାନୀୟ ଜଳର ଅଭାବକୁ ନେଇ ପାରାଦ୍ୱୀପର ବସ୍ତି ବାସିନ୍ଦା ମାନେ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି । ପୂର୍ବରୁ ପ୍ରାୟତଃ ନଳକୂପ ଯୋଗେ ଭଲ ପିଇବା ପାଣି ମିଳୁଥିବାରୁ ପାନୀୟ ଜଳର ଆବଶ୍ୟକତା ପୂରଣ ହୋଇ ଯାଉଥିଲା । ପାରାଦ୍ୱୀପର କିଛି ଶିଳ୍ପସଂସ୍ଥା ଓ କିଛି ଲାଭଖୋର ବ୍ୟବସାୟୀ ଦିନରାତି ଭୁତଳ ଜଳକୁ ବ୍ୟବସାୟ ନିମନ୍ତେ ଉତ୍ତୋଳନ କରି ନିଜର ବ୍ୟବସାୟ ଓ ନିଜ ମୁନାଫା ବୃଦ୍ଧି କରି ଚାଲିଛନ୍ତି । ଯାହା ଫଳରେ ଭୁତଳ ଜଳ ହ୍ରାସ ପାଇବା ସହିତ ନଳକୂପ ରେ ଆଇରନ ଓ ଲବଣ ଯୁକ୍ତ ପାଣି ବାହାରୁଛି । ଯାହା ପିଇବା ପାଇଁ ଅନୁପଯୁକ୍ତ ହେଉଛି । ପାରାଦ୍ୱୀପ ବନ୍ଦର ତରଫରୁ ବସ୍ତି ଅଞ୍ଚଳକୁ ଦିନକୁ ସ୍ୱଳ୍ପ ସମୟ ପାଇପ ଯୋଗେ ଆସୁଥିବା ପାଣି ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ପାଣି ପାଇଁ ଷଣ୍ଢକୁଦ ବସ୍ତିରେ ଥିବା ପାଇପ ନିକଟରେ ପାଣି ପାଇଁ ପ୍ରତିଯୋଗିତା ଲାଗୁଥିବା ନେଇ କିଛି ବସ୍ତି ବାସିନ୍ଦା କହିଛନ୍ତି । କିଛିବର୍ଷ ପୂର୍ବେ ପାରାଦ୍ୱୀପ ଅଞ୍ଚଳ ରୁ ଶିଳ୍ପସଂସ୍ଥା ହେଉ କିମ୍ବା ବ୍ୟବସାୟ ନିମନ୍ତେ ଭୁତଳ ଜଳ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ବେଳେ ପାରାଦ୍ୱୀପ ଅଞ୍ଚଳ ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ।

Advertisement

ଗୋଟିଏ ପଟେ ଶିଳ୍ପସଂସ୍ଥା ରୁ ନିର୍ଗତ ରାସାୟନିକ ବର୍ଜ୍ୟଜଳ ବିଭିନ୍ନ ମାଟି ଭିତରକୁ ପ୍ରବେଶ କରି ଭୁତଳ ଜଳ ପ୍ରଦୂଷିତ ହେଉଛି । ଟିୟୁବୱେଲ ମାଧ୍ୟମରେ ସକାଳ ସମୟରେ ଆସୁଥିବା ପାଣି ଏକ ପ୍ରକାର ହୋଇଥିବା ବେଳେ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଭିନ୍ନ ପ୍ରକାର ପାଣି ବାହାରୁଛି । ଯାହା ପିଇବା ପାଇଁ ଅନୁପଯୁକ୍ତ ବୋଲି ଜନସ୍ୱାସ୍ଥ୍ୟ ବିଭିନ୍ନ ତରଫରୁ ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି । ଭୁତଳ ଜଳ ପ୍ରଦୂଷିତ ହେବା ଫଳରେ ଏହା ବ୍ୟବହାର ପାଇଁ ଅନୁପଯୁକ୍ତ ହେଉଥିବା ବେଳେ ସମୁଦ୍ର କୁଳ ଅଞ୍ଚଳ ଷଣ୍ଢକୁଦ ବସ୍ତି ରେ ଯେଉଁ କିଛି ସ୍ଥାନରେ ମଧୁର ଜଳ ମିଳୁଥିଲା ତାହା ଆଜି ପ୍ରଭାବିତ ହୋଇଛି ଭୁତଳ ଜଳର ବ୍ୟବସାୟୀ କରଣ କୁ ନେଇ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାରାଦ୍ୱୀପ ବିଧାୟକ ଓ ପୌରାଧ୍ୟକ୍ଷ । ଅସାଧୁ ଉପାୟରେ ଭୁତଳ ଜଳ ବ୍ୟବସାୟ କରାଯାଉଥିବା ନେଇ ଅଭିଯୋଗ ପାଇବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଉଭୟ ପୌରାଧ୍ୟକ୍ଷ ଓ ବିଧାୟକ । ଯଥାଶୀଘ୍ର ଭୁତଳ ଜଳ ର ଅପବ୍ୟବହାର ଓ ବ୍ୟବସାୟୀ କରଣ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କ ବିଷୟରେ ସମ୍ପୃକ୍ତ ବିଭାଗ କୁ ଅବଗତ କରାଯାଇ ଏହାକୁ ସମ୍ପୂର୍ଣ ସିଲ କରାଯିବା ସହିତ ଅଭିଯୁକ୍ତ ମାନଙ୍କ ଉପରେ କଡା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ବିଧାୟକ ଓ ପୌରାଧ୍ୟକ୍ଷ ।

ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ପାରାଦ୍ୱୀପ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଲାଭଖୋର ବ୍ୟବସାୟୀଙ୍କ ଭୁତଳ ଜଳ ବ୍ୟବସାୟୀ କରଣ ପାରାଦ୍ୱୀପ ଜନସାଧାରଣଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ପାରାଦ୍ୱୀପ ବିଧାୟକ ଓ ପୌରାଧ୍ୟକ୍ଷ ଅବଗତ ହେବାପରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ସଂସ୍ଥା ଉପରେ କେବେ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *