କଂଗ୍ରେସକୁ ଆଶ୍ୱସ୍ତି ; ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ …
1 min readନୂଆଦିଲ୍ଲୀ ; କଂଗ୍ରେସକୁ ଆଶ୍ୱସ୍ତି । ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଏହି ସୂଚନା ମିଳିବା ପରେ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି ଙ୍ରୋହୁଲଙ୍କ ସାଂସଦ ପଦ ଫେରିପାଇବା ଅର୍ଥାତ୍ ଘୃଣା ଉପରେ ପ୍ରେମର ବିଜୟ । ସେହିପରି ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ଏହା ଉଭୟ ନ୍ୟାୟ ଓ ଗଣତନ୍ତ୍ରର ବିଜୟ। ରାହୁଲ ଗାନ୍ଧି ଏବେ ଲୋକସଭାକୁ ଆସିପାରିବେ ଓ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଦେଶବାସୀଙ୍କ ସେବା କରିପାରିବେ ବୋଲି ସେ କହିଛନ୍ତି।
ତେବେ ଘଟଣାଟି ଏମିତି ଥିଲା କି ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ମାର୍ଚ୍ଚ ୨୩ ତାରିଖରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ତା’ ପରଦିନ ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ ସେ ସାଂସଦ ପଦ ହରାଇଥିଲେ। ଜଣେ ବିଧାୟକ ବା ସାଂସଦ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତା’ଠୁ ଅଧିକ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଲେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବାର ନିୟମ ରହିଛି।
କିନ୍ତୁ ଗତ ଶୁକ୍ରବାର ସୁପ୍ରିମକୋର୍ଟ ରାହୁଲଙ୍କୁ ମିଳିଥିବା ୨ ବର୍ଷର ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇଛି । ଏହାପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି। ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଛି।