KYC ଅପଡେଟ୍ ନାଁରେ ଠକେଇ: ଗ୍ରାହକଙ୍କୁ ଚେତାଇଲା TPCODL
1 min readଭୁବନେଶ୍ୱର: କେନ୍ଦ୍ରୀୟ ଓଡ଼ିଶା ଅଂଚଳରେ ବିଦ୍ୟୁତ୍ ବିତରଣ ପାଇଁ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଗ୍ରାହକମାନଙ୍କୁ ଏଭଳି ଅସାଧୁ ତତ୍ୱମାନଙ୍କ ବିରୋଧରେ ପରାମର୍ଶବଳୀ ଜାରି କରାଯାଇଛି ଯେଉଁମାନେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ନହେବାପାଇଁ କେୱାଇସି ଅପ୍ଡେଟ୍ କରିବା ବାର୍ତା ପଠାଇ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ।
ମନ୍ଦ ଉଦ୍ଦେଶ୍ୟ ରଖି ଏହି ବ୍ୟକ୍ତିମାନେ ଟିପିସିଓଡିଏଲ୍ର କୌଣସି ସ୍ୱୀକୃତି ବିନା ଗ୍ରାହକଙ୍କ ସହିତ ଯୋଡ଼ି ହେଉଛନ୍ତି । ଏସ୍ଏମ୍ଏସ୍ ଜରିଆରେ ଗ୍ରାହକମାନଙ୍କୁ ଧମକ ଦେଇ କୁହାଯାଉଛି ଯେ କେୱାଇସି ଅପ୍ଡେଟ୍ ନକଲେ ସେହି ଦିନ ରାତି ୯ଟା ୩୦ ମିନିଟ୍ରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯିବ । ଏଥିସହିତ ଏକ ନିର୍ଦିଷ୍ଟ ଫୋନ୍ ନମ୍ବର୍ରେ ବିଦ୍ୟୁତ୍ ଅଫିସରଙ୍କୁ ଯୋଗାଯୋଗ କରିବାକୁ କୁହାଯାଉଛି ଯାହା ଟିପିସିଓଡିଏଲ୍ର ଉତ୍ସର୍ଗୀକୃତ ଗ୍ରାହକ ସେବା ନମ୍ବରଠାରୁ ଭିନ୍ନ ।
ଏଭଳି କୌଣସିି ବାର୍ତା (ମେସେଜ୍)/ କଲ୍ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ବେଳେ ସବୁ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଟିପିସିଓଡିଏଲ୍ ଏହାର ଗ୍ରାହକମାନଙ୍କୁ ଆହ୍ୱାନ ଦେଇଛି । କୌଣସି ଏକ୍ଜିକ୍ୟୁଟିଭ୍କୁ ନିଜର ପାସ୍ୱାର୍ଡ, ଓଟିପି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସୂଚନା ଦେବା ଲାଗି କଂପାନି କେବେ ଗ୍ରାହକଙ୍କୁ କୁହେନାହିଁ । କର୍ମଚାରୀମାନଙ୍କ ବିଶ୍ୱସନୀୟତା ଯାଂଚ କରିବା ଲାଗି ଟିପିସିଓଡିଏଲ୍ ମିତ୍ର ଆପ୍ ବ୍ୟବହାର କରିବାକୁ କଂପାନି ଗ୍ରାହକମାନଙ୍କୁ ଉପଦେଶ ଦେଇଛି ।
ସବୁ ପ୍ରକାର ଅଭିଯୋଗ ପାଇଁ ଟିପିସିଓଡିଏଲ୍ର ଏକକ ସମାଧାନ ସ୍ଥଳ ଭାବେ୨୪ ଘଂଟିଆ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨ ଓ ୧୯୧୨ ରହିଛି । କାରବାର କିମ୍ବା ବ୍ୟାଙ୍କିଙ୍ଗ୍ ବିବରଣୀ ମାଗୁଥିବା ଏଭଳି କୌଣସି ମେସେଜ୍ କିମ୍ବା କଲ୍ କରୁଥିବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ଅବଗତ କରିବାକୁ କଂପାନି ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦିଆଯାଇଛି । ଯେକୌଣସି ପ୍ରକାର ପ୍ରଶ୍ନକୁ ଗ୍ରାହକମାନେ customercare@tpcentralodisha.comରେ ଇ-ମେଲ୍ କରିପାରିବେ ।
“ଏଭଳି ଜାଲିଆତି କାର୍ଯ୍ୟକଳାପ ଉପରେ ଆମ ଟିମ୍ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆମେ ମଧ୍ୟ ଆମର ସମ୍ମାନନୀୟ ଗ୍ରାହକଙ୍କୁ ସତର୍କ କରିବାକୁ ଚାହୁଁଛୁ । ଟିପିସିଓଡିଏଲ୍ ମିତ୍ର ଆପ୍କୁ ବ୍ୟବହାର କରିବା ଓ ଯେକୌଣସି ପ୍ରକାର ଅଭିଯୋଗ ଓ ପ୍ରଶ୍ନ ପାଇଁ ଆମ ନିକଟରେ ପହଂଚିବା ନିମନ୍ତେ ସ୍ୱୀକୃତିପ୍ରାପ୍ତ ଚ୍ୟାନେଲ୍/ମାଧ୍ୟମକୁ ଅନୁସରଣ କରିବାକୁ ଆମ ଗ୍ରାହକଙ୍କୁ ଆମେ ଅନୁରୋଧ କରୁଛୁ ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁୃ୍ୟସନ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍ କହିଛନ୍ତି ।