Pratidin TV

Odisha's Digital News Platform

ଦେଶ ପାଇଁ ଜୀବନ ଦେଇଥିଲେ ଯବାନ ବାପା ପୁଅ ; ହେଲେ ସରକାର କଲେ ପରିବାର ସହ ପ୍ରତାରଣା ….

1 min read

ଧର୍ମଶାଳା : ANC ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସହିଦ ଯବାନଙ୍କ ପରିବାରକୁ ସରକାର ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ସହୀଦ ଯବାନଙ୍କ ପତ୍ନୀ । ଯାଜପୁର ଧର୍ମଶାଳା ବ୍ଳକ କ୍ଷେତ୍ରପାଳ ଗାଁର ସୁନାପୁଅ ଶଶାଙ୍କ ଶେଖର ସାମଲ । ଦେଶର ଜଣେ ସହିଦ ଯଦୁନାଥ ସାମଲ ଓ ସନ୍ଦ୍ୟାରାଣୀଙ୍କ ପୁଅ । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ଶଶାଙ୍କ ବାପାଙ୍କୁ ଦେଖି ଜଣେ ସିପାହୀ ହେବାକୁ ପିଲାବେଳୁ ଇଚ୍ଛା ରଖିଥିଲେ, ତାକୁ ପୂରଣ ବି କଲେ । ଯୁକ୍ତ ଦୁଇ ପରେ ସେନାରେ ଭର୍ତ୍ତି ହେଲେ । କିନ୍ତୁ ପୁଅକୁ ଯବାନ ବେଶରେ ଦେଖିବାକୁ ବାପା ଯଦୁନାଥ ଆଉ ନଥିଲେ । କାରଣ ସେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଯାଇଥିଲେ । ସେନାରେ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ଇଞ୍ଜିନିଅର ଭାବେ ଯୋଗ ଦେଇଥିଲେ ଶଶାଙ୍କ । ପୁଅକୁ ଦେଖି ମା’ର ମନ ସ୍ୱାମୀଙ୍କ ହରାଇଥିବା ଦୁଃଖକୁ ପାସୋରିବାକୁ ଚେଷ୍ଟା କରୁଥିଲା । ଏହାପରେ ଘରକୁ ପଡିଥିଲା ନୂଆ ବୋହୂର ପାଦ । କ୍ରମେ କୋଳକୁ ଆସିଥିଲା ନାତିଟିଏ । ପୁଅ ସୁଦୂର ଲଦାଖରେ ଥାଇ ମା’ ଓ ସ୍ତ୍ରୀଙ୍କର ଭଲମନ୍ଦ ପଚାରି ବୁଝୁଥିଲା ।

ସେଦିନ ବି କଥା ହୋଇଥିଲା । ଆହୁରି ଅନେକ କଥା କହିବାର ଅଛି ବୋଲି କହି ନିଜ ଷ୍ଟାଫଙ୍କ ସହ ଘାଟି ତଳକୁ ଆସିଥିଲେ ଶଶାଙ୍କ । ହେଲେ ମା’ଙ୍କ ସହ ଆଉ କଥା ହୋଇପାରିନଥିଲେ । ହଠାତ୍ ଆସିଥିଲା ଏକ ଦୁଃଖଦ ଖବର । ନିଜ ଷ୍ଟାଫଙ୍କ ସହ ଶଶାଙ୍କ ଲଦାଖ ଘାଟି ତଳକୁ ଆସିବା ବେଳକୁ ହୋଇଥିଲା ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ । ଯେଉଁଥିରେ ସହିଦ ହୋଇଗଲେ ଶଶାଙ୍କ । ବାସ୍ ଏ ପରିବାର ସୁଖ ସବୁ ଲୁହରେ ବହିଗଲା । ସ୍ୱାମୀ ତ ସହିଦ ହୋଇଥିଲେ ଏବେ ପୁଅକୁ ହରାଇ ଯେମିତି ପୁରା ଭାଙ୍ଗି ପଡିଛନ୍ତି ମା’ ସନ୍ଧ୍ୟାରାଣୀ । ୨ ବର୍ଷ ପରେ ବି ପୁଅର ଫଟୋକୁ ଧରି ଘୁମୁରି ଘୁମୁରି କାନ୍ଦୁଛି ମା’ର ମନ ।

Advertisement

ଆଉ ଅତୀତର ସ୍ମୃତିକୁ ବୋହୂ ସସ୍ମିତା କେତେବେଳେ ମୋବାଇଲରେ ଖୋଜୁଛନ୍ତି ତ କେତେବେଳେ ସୁଟକେସରେ । ସ୍ୱାମୀ ଘର ସଂସାରକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା ସସ୍ମିତା । କିନ୍ତୁ ଶାଶୂଙ୍କ ଭଳି ତାଙ୍କ ସ୍ୱପ୍ନ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦିନ ଗଡିଚାଲିଛି , ହେଲେ ମନରେ ସେମିତି ଜୀବିତ ଅଛନ୍ତି ସହିଦ ସ୍ୱାମୀ ଶଶାଙ୍କ । ଅନେକ ଦୁଃଖ ଯନ୍ତ୍ରଣା ଭିତରେ ବି ସ୍ୱାମୀଙ୍କ ପାଇଁ ଯେତିକି ସ୍ୱାଭିମାନ୍ ରାଜ୍ୟ ସରକାରଙ୍କ ପ୍ରତି ସସ୍ମିତାଙ୍କର ସେତିକି ଅଭିମାନ ଆଉ କ୍ଷୋଭ । ସ୍ୱାମୀ ଶଶାଙ୍କ ସହିଦ ହେବା ସମୟରେ କେନ୍ଦ୍ର ସରକାର ସବୁ ଦାୟିତ୍ୱ ପୂରଣ କରିଥିଲେ ବି ରାଜ୍ୟ ସରକାର କିନ୍ତୁ ନିଜ କଥା ରଖିଲେନି । ସହିଦ ଶଶାଙ୍କଙ୍କ ପରିବାରକୁ ଯାହା ସାହାଯ୍ୟ କରିବାକୁ କହିଥିଲେ ସେସବୁ କିଛି ବି ପୂରଣ କଲେନି । ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚବିଙ୍କୁ ଅନୁରୋଧର ଚିଠି ଲେଖି ଲେଖିି ନୟାନ୍ତ ହେଲେଣି ସସ୍ମିତା । କିନ୍ତୁ କେହି ଶୁଣିବାକୁ ନାରାଜ । ଫଳରେ ରାଜ୍ୟ ସରକାର ଜଣେ ସହିଦଙ୍କ ପରିବାର ସହ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସସ୍ମିତା ।

ଆଉ କିଛି ଦିନ ପରେ ଚାରିଆଡେ ପାଳନ ହେବ ସ୍ୱାଧିନତା ଦିବସ । ହେଲେ ସେ ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ଯାଇ ସହିଦ ହୋଇଯାଇଥିବା ଶଶାଙ୍କ ସାମଲଙ୍କ ପରିବାରକୁ ଦେଇଥିବା ପ୍ରତିଶୃତିକୁ କେବେ ପୂରଣ କରିବେ ରାଜ୍ୟ ସରକାର?

Leave a Reply

Your email address will not be published. Required fields are marked *