Pratidin TV

Odisha's Digital News Platform

ଆଜିଠୁ G-20 ବୈଠକ ; ସାରା ବିଶ୍ୱ ଦେଖିବ ଭାରତର ଆତିଥ୍ୟତା ….

1 min read

ନୂଆଦିଲ୍ଲୀ : ସାରା ବିଶ୍ୱ ଦେଖିବ ଭାରତର ବିଭିନ୍ନତା ମଧ୍ୟରେ ଏକତା । କରାଯିବ ଆତିଥ୍ୟତା । ବିଦେଶୀ ଅତିଥିମାନେ ଦେଖିବେ ଭାରତର ଏକତା । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଶନିବାର ଠାରୁ ଆରମ୍ଭ ହେଉଛି ଅଷ୍ଟାଦଶ ଜି-୨୦ ଶିଖର ସମ୍ମିଳନୀ । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକର ମୁଖ୍ୟ ଫୋକସ୍ ଏକ-ବିଶ୍ୱ, ଏକ-ପରିବାର ଓ ଏକ-ଭବିଷ୍ୟ । ହି ମହାକୁମ୍ଭରେ ଯୋଗଦେବା ଲାଗି ବିଶ୍ୱର ୩୦ ଦେଶର ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ । ବିମାନ ବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ସେଠାରୁ ସେମାନଙ୍କୁ ନିଜ ନିଜ ହୋଟେଲକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯାଇଛି ।

ଆଜି ସକାଳ ୯ ଟାରୁ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲ୍କମ୍ ସେରିମନି ପରେ ମଧ୍ୟାହ୍ନ ପର‌୍ୟ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିବେ। ତେବେ ବିଦେଶୀ ଅତିଥିଙ୍କୁ ରୁପା ଥାଳିରେ ପରସାଯିବ ଦେଶୀ ଖାଦ୍ୟ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ, ସବୁ ପ୍ରାନ୍ତରର ଆଞ୍ଚଳିକ ଖାଦ୍ୟକୁ ମିଳିବ ପ୍ରାଧାନ୍ୟ । କାରଣ ଭାରତରେ ଆତିଥ୍ୟତା ପ୍ରଦାନର ଏକ ପ୍ରମୁଖ ଅଙ୍ଗ ହେଉଛି ଖାଦ୍ୟ। ଆଉ ଏବେ ଜି- ୨୦ ସମ୍ମିଳନୀ ପାଇଁ ଯେତେବେଳେ ବିଶ୍ୱସ୍ତରୀୟ ଅତିଥି ଭାରତରେ ପହଞ୍ଚିଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ହେବା ସୁନିଶ୍ଚିତ ।

Advertisement

ସୂଚନା ଅନୁସାରେ, ଦେଶର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ସ୍ଥାନୀୟ ତଥା ପାରମ୍ପରିକ ଏବଂ ନିରାମିଷ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଛି । ବିଦେଶୀ ଅତିଥିମାନଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ପରସାଯିବ। ଜି- ଟ୍ୱେଣ୍ଟି ସମ୍ମିଳନୀ ଆୟୋଜିତ ହେଉଥିବା ଭାରତ ମଣ୍ଡପମ୍ରେ ଏଥିପାଇଁ ୭ଶହ ସେଫ୍, ୪ଶହ ଡିସ୍ ଓ ଲାଇଭ୍ କିଚେନ୍ ଆଦିର ବ୍ୟବସ୍ଥା କରାଯାଇଛି । ଅତିଥିଙ୍କ ସାମ୍ନାରେ ରୋଷେଇ କରିବେ ଫାଇଭ୍ ଷ୍ଟାର୍ ହୋଟେଲର ସେଫ୍। କେବଳ ଭାରତ ମଣ୍ଡପମ୍ ନୁହେଁ, ଠଠଓଚମାନେ ରହିବାକୁ ଥିବା ବିଭିନ୍ନ ହୋଟେଲରେ ବି ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ନୂଆଦିଲ୍ଲୀର ତାଜ୍ ପ୍ୟାଲେସ ପକ୍ଷରୁ ୧୨୦ ଜଣିଆ ସେଫ୍ ଟିମ୍ ୫ଶହଟି ଡିସ୍ ତିଆରି କରୁଛନ୍ତି ।

ବିଦେଶୀ ଅତିଥିଙ୍କୁ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ସ୍ପେଶାଲ୍ ଥାଳି ପରସାଯିବ । ସେଥିରେ ଥିବ ୧୨ ପ୍ରକାର ପାରମ୍ପରିକ ବ୍ୟଞ୍ଜନ । ଏହାବାଦ ଦିଲ୍ଲୀର ଚାଟ୍, ମହାରାଷ୍ଟ୍ରର ପାଓଭାଜି ଓ ବଡ଼ାପାଓ, ରାଜସ୍ଥାନର ଡାଲ୍ ବାଟି ଚୁରମା ଓ ତାମିଲନାଡ଼ୁର ପନିୟାରମ୍ ବି ଖାଇବେ ଅତିଥି। ଏହାବାଦ ଦକ୍ଷିଣ ଭାରତର ମସାଲା ଦୋସା, ଉତ୍ତପମ୍ ଓ ଇଡଲୀ, ଗୁପଚପ୍, ଚଟପଟି ଚାଟ୍, ଦହିଭଲ୍ଲା, ସିଙ୍ଗଡ଼ା, ଭେଲପୁରୀ, ବିହାରର ଲିଟ୍ଟି ଚୋଖା, ପଞ୍ଜାବୀ ତଡ଼କା ଡାଲ୍ର ମଜା ନେବେ। ସେହିପରି ଅତିଥିଙ୍କ ମୁହଁ ମିଠା କରିବାକୁ ରସଗୋଲା, ଜିଲାପୀ, ମଲାଇ ଘେବର, ଗୁଲାବ ଚୁରମା, ପିସ୍ତା କୁଲଫି, ଶ୍ରୀଖଣ୍ଡ, ମଲାଇ କୁଲଫି, କେଶର ପିସ୍ତା ଠଣ୍ଡାଇ, ମିଶ୍ରୀ ମାୱା, କ୍ଷୀର୍, ଗାଜର ହାଲୁଆ, ମୋତିଚୁର ଲଡ୍ଡୁ, ଡ୍ରାଏଫ୍ରୁଟ୍ସ ମିଠା, ରସମଲାଇ, ଯୋଧପୁରୀ ମାୱା ବି ପରସାଯିବ ।

ବିଦେଶୀ ଅତିଥିଙ୍କ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବି ଚଖାଯିବ । ଚଳିତବର୍ଷ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଇଅର୍ ଅଫ୍ ମିଲେଟ୍ସ ବା ଅନ୍ତର୍ଜାତୀୟ ଲଘୁଶସ୍ୟ ବର୍ଷ ପାଳନ ହେଉଥିବାରୁ ଜି-୨୦ ଫୁଡ୍ ମେନୁରେ ବି ମାଣ୍ଡିଆ ଓ ବାଜରା ଆଦିରୁ ପ୍ରସ୍ତୁତ ପରଟା, ସମୋସା, କ୍ଷୀରି ଓ ହାଲୁଆ ଆଦିକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ରାଷ୍ଟ୍ରମୁଖ୍ୟ ବାଜରା କ୍ଷୀରି, ମାଣ୍ଡିଆ ବାଦାମ୍ ଲଡ଼ୁ, ଅମରନାଥ ଲଡ଼ୁ ଆଦିର ମଧ୍ୟ ସ୍ୱାଦ ଚାଖିବେ । ସେପଟେ ଦିଲ୍ଲୀସ୍ଥିତ ଜୟପୁର ହାଉସରେ ବିଭିନ୍ନ ଦେଶର ପ୍ରଥମ ମହିଳା ବା ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀମାନଙ୍କୁ ଏକ ସ୍ୱତନ୍ତ୍ର ଭବ୍ୟ ଭୋଜି ଲାଗି ନିମନ୍ତ୍ରଣ କରାଯାଇଛି । ଅତିଥିମାନଙ୍କୁ ଖାଦ୍ୟ ପରଷା ଯିବା ଲାଗି ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନକୁ ସଜାଇ ରଖାଯାଇଛି। ପ୍ରାୟ ୨ଶହ କାରିଗର ୫୦ହଜାର ଘଣ୍ଟା କାର୍ଯ୍ୟ କରି ୧୫ ହଜାରଟି ରୌପ୍ୟ ବାସନକୁସନ ତିଆରି କରିଛନ୍ତି।
ତେବେ ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେଉଥିବା ବେଳେ ଏବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ।

Leave a Reply

Your email address will not be published. Required fields are marked *