Pratidin TV

Odisha's Digital News Platform

ଅଧାରେ ରହୁଛି ଭକ୍ତଙ୍କ ମାନସିକ ; ମା’ତାରିଣୀ ପିଠରେ ପଚୁଛି ଲକ୍ଷ ଲକ୍ଷ ନଡିଆ ….

1 min read

କେନ୍ଦୁଝର ; ଭକ୍ତଙ୍କ ଭାବନା ପ୍ରତି କୁଠାର ଘାତ। ଟେଣ୍ଡର ସମସ୍ୟା ଯୋଗୁ ଘଟଗାଁ ମା ତାରିଣୀଙ୍କ ମନ୍ଦିରକୁ ଆସୁଥିବା ନଡିଆ ଏବେ ବିପୁଳ ପରିମାଣରେ ଗଚ୍ଛିତ ହୋଇରହିଛି। ଗଚ୍ଛିତ ଥିବା ମାନସିକ ନଡିଆ ଏବେ ୧୧ଲକ୍ଷ ପାର ହୋଇଥିବା ବେଳେ ମାନସିକ ନଡିଆ ନିଲାମ ହୋଇପାରୁନଥିବାରୁ ନଡିଆ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ଏବେ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ। ମାଙ୍କ ନିକଟକୁ ନଡିଆ ଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମାଙ୍କ ପୀଠକୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ। ଆସୁଥିବା ମାନସିକ ନଡିଆ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ବିକ୍ରି କରାଯାଇଥାଏ। ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ। ଜିତେନ୍ଦ୍ର ନାରାୟଣ ଜେନା ନାମକ ବ୍ୟକ୍ତି ନଡିଆ ଗୋଟା ପ୍ରତି ୪ଟଙ୍କା ୬୫ ପଇସାରେ ନଡିଆ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ କିଛି ମାସ ପରେ କୌଣସି ସମସ୍ୟା ଯୋଗୁ ଟେଣ୍ଡରୁ ଓହରି ଯାଇଥିଲେ ଉକ୍ତ ଟେଣ୍ଡରଧାରୀ । ବ୍ୟକ୍ତି ଜଣକ ଟେଣ୍ଡରରୁ ଓହରି ଯିବା ପରେ ମାନସିକ ନଡ଼ିଆ ନେବା ପାଇଁ ୪ଥର ଟେଣ୍ଡର ଡକାଗଲାଣି। ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଏବେ ନଡ଼ିଆ ଗୋଦାମ ଗୁହରେ ନଡ଼ିଆ ସଂଖ୍ୟା ବଢି ୧୧ଲକ୍ଷ୍ୟ ପାର ହୋଇଛି।

Advertisement

କିଛି ଦିନ ପୂର୍ବେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ବିକ୍ରି କରିବାକୁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ। ପୁଣି ନଡ଼ିଆ ଗୋଟାଏ ପ୍ରତି ୪ଟଙ୍କା ୬୦ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ୩ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିବା ବେଳେ ଲୋକେ କିପରି ୪ଟଙ୍କା ୬୦ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅନ୍ୟପଟେ ମାନସିକ ନଡ଼ିଆ ତୁରନ୍ତ ବିନିଯୋଗ ହେବାର ଆବଶ୍ୟକତା ରହିଛି। ମନ୍ଦିର ପ୍ରଶାସନର ଏପରି ନୀତିଯୋଗୁ ଦିନପରେ ଦିନ ଗଡି ଚାଲିଥିଲେ ମଧ୍ୟ ନଡିଆ ନିଲାମ ହୋଇପାରୁନାହିଁ। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ୧୦ ରୁ ୧୫ହଜାର ମାନସିକ ନଡିଆ ମାଙ୍କ ମନ୍ଦିରକୁ ଆସିଥାଏ। ତୁରନ୍ତ ନିଲାମ ନହେଲେ ଏସବୁ ଗୋଦାମ ଗୃହରେ ପଡିପଡି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଯାହାକି ଭକ୍ତଂକ ଭାବନା ଓ ବିଶ୍ୱାସ ପ୍ରତି ବଡ଼ କୁଠାରଘାତ ହେବ ବୋଲି ମତପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *