ପ୍ରୟାଗରାଜରେ ହିଂସା: ଦଙ୍ଗାକାରୀଙ୍କ ଘର ଉପରେ ଚଢିଲା ବୁଲଡୋଜର
1 min readନୂଆଦିଲ୍ଳୀ: ଉତ୍ତର ପ୍ରଦେଶରେ ପ୍ରଫେଟ୍ ମହମ୍ମଦଙ୍କ ସମର୍ଥନରେ ହୋଇଥିବା ହିଂସା ପରେ ଆକ୍ସନ ମୋଡରେ ଯୋଗୀ ସରକାର । ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତର ଘର ଉପରେ ଆଜି ବୁଲଡୋଜର ଚଢାଇ ଦିଅଯାଇଛି । ନୂପୂର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପରେ ବିଜେପି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ବିଭିନ୍ନ ଇସଲାମିକ ଦେଶ ଏବଂ ଇସଲାମିକ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଭାରତର ବିଭିନ୍ନ ସହରରେ ମଧ୍ୟ ଏହାକୁ ଘୋର ବିରୋଧ କରାଯାଇଥିଲା । ଏହାପରେ ରାଞ୍ଚି , କୋଲକାତା ଏବଂ ଉତ୍ତର ପ୍ରଦେଶରେ ହିଂସାକାଣ୍ଡ ଦେଖାଦେଇଥିଲା ।
ଶୁକ୍ରବାରର ନମାଜ ଶେଷ ହେବା ପରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ରାଞ୍ଚିରେ ଏହି ହିଂସାକାଣ୍ଡ ସବୁଠାରୁ ଭୟଙ୍କର ରହିଥିଲା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ । ପଶ୍ଚିମବଙ୍ଗର ହାଓଡାରେ ସରକାରଙ୍କ ପକ୍ଷରୁ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା । ଏହି ସମୟରେ ବିଜେପି କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇଥିଲା । ସମାନ ଢଙ୍ଗରେ ପ୍ରୟାଗରାଜରେ ମଧ୍ୟ ପଥର ମାଡ ହୋଇଥିଲା । ତେବେ ଅନ୍ୟ ରାଜ୍ୟ ମାନଙ୍କ ପରି ଚୁପ୍ ବସିନଥିଲେ ଯୋଗୀ ଆଦିତ୍ୟନାଥ । ଶନିବାର ଧମକ ଦେବା ପରେ ରବିବାର ବୁଲଡୋଜର ଚଲାଇଥିଲେ ।
ଯୋଗୀଙ୍କ ମିଡିଆ ପରାମର୍ଶଦାତା ରହିଥିବା ମୃତ୍ୟୁଞ୍ଜୟ କୁମାର ଏମିତି ଏକ ତେରେଛା ବାଣ ମାରିଛନ୍ତି । ଲୋକ ଭୁଲିଯିବା ଅନୁଚିତ୍ କି ଶୁକ୍ରବାର ପରେ ଶନିବାର ଆସିଥାଏ । ଦେଶରେ ପ୍ରତି ଶୁକ୍ରବାର ପଥର ମାଡ ହେବା ଫେସନରେ ପରିଣତ ହେବାକୁ ଯାଉଥିବା ବେଳେ ଦଙ୍ଗାକାରୀଙ୍କୁ ଚେତେଇବାକୁ ଏମିତି ଲେଖିଛନ୍ତି ମୃତୁଞ୍ଜୟ । ଏମିତି ଲେଖିବା ସହିତ ଏକ ବୁଲଡୋଜରର ଫଟୋ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ପରେ ରବିବାର ଯୋଗୀ ସରକାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା କରାଯାଇଛି ।