ଜଳୁଛି ରାଜଧାନୀ: ୭୨ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା
1 min readନୂଆଦିଲ୍ଲୀ: ଦିନ ସମୟରେ ଘରୁ ବାହାରିବା ସହଜ ହେଉ ନାହିଁ । ଟାଣ ଖରା ଯୋଗୁଁ ରାସ୍ତାଘାଟ ଶୂନଶାନ ରହୁଛି । ଦୀର୍ଘ ୨୫ ଦିନ ହେଲା ଦିଲ୍ଲୀର ତାପମାତ୍ରା ୪୨ ଡିଗ୍ରୀ ଅଥିବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି । ଦିଲ୍ଲୀରେ ଚଳିତ ବର୍ଷ ଏପ୍ରିଲ ମାସରେ ୭୨ ବର୍ଷର ତାପମାତ୍ରା ରେକର୍ଡ ଅତିକ୍ରମ କରିଥିଲା, ଯାହାକି ୧୯୫୧ରେ ହୋଇଥିଲା । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତର ଲୋକେ ଏବେ ପ୍ରବଳ ଗରମରେ ଛଟପଟ ହେଉଛନ୍ତି ।
ବର୍ଷ ୨୦୧୨ ପରେ ଦିଲ୍ଲୀରେ ଅଧିକ ଦିନ ଅଧିକ ତାପମାତ୍ରା ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ ଏହା ପୂର୍ବରୁ ୨୦୧୨ ମସିହାରେ ୩୦ ଦିନ ଅଧିକ ତାପମାତ୍ରା ୪୦ ଡିଗ୍ରୀ ଅଥବା ଏହାଠାରୁ ଅଧିକ ରେକର୍ଡ କରାଯାଇଥିଲା । ୨୦୧୦ରେ ଏହି ସଂଖ୍ୟା ଥିଲା ୩୫ ଦିନ । ଦିଲ୍ଲୀରେ ଗତବର୍ଷ ୬ ଦିନ ଓ ୨୦୨୦ରେ ୩ ଦିନ ଏଭଳି ତାପମାତ୍ରା ଅନୁଭୂତ ହୋଇଥିଲା । ୧୯୯୭ ମସିହାରେ ମାତ୍ର ୨ ଦିନ ଅଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କମ ବର୍ଷା କାରଣରୁ ଦିଲ୍ଲୀରେ ଗରମ ବେଶୀ ହେଉଛି । ପ୍ରବଳ ଗରମ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।