Pratidin TV

Odisha's Digital News Platform

ସମ୍ବଲପୁରରେ କିପରି ପାଳନ ହୁଏ ନୁଆଁଖାଇ, ଆସନ୍ତୁ ଜାଣିବା…

1 min read


ସମ୍ବଲପୁର: ଆଜି ହେଉଛି ନୂଆଁଖାଇ । ଏହା ହେଉଛି ପଶ୍ଚିମ ଓଡିଶାର ଏକ କୃଷିଭିତ୍ତିକକ ଗଣପର୍ବ । ଏଥିପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଚାରିଆଡେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ପରିବାରର ସମସ୍ତେ ଏକାଠି ହୋଇଛନ୍ତି ନୂଆଁଖାଇ ପାଇଁ । କାହିଁକି ନା ବର୍ଷକରେ ଥରେ ଏହି ପର୍ବ ପରିବାରର ସମସ୍ତ ଙ୍କୁ ଏକାଠି ହେବାର ଅବସର ଆଣିଥାଏ । ତେବେ ନୂଆଁଖାଇ ପର୍ବ ପାଳନ ପାଇଁ ସର୍ବ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନୁଆଁ ଚାଉଳର ଭୋଗ ଲାଗି ହୋଇଥାଏ । ଏଠିପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଦ୍ୱାରା ନିର୍ଧାରିତ ଶୁଭ ଲଗ୍ନରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ଶ୍ରଦ୍ଧାଳୁ ମାନେ ମା ସମଲେଶ୍ୱରୀଙ୍କ ପାଖରୁ ନିଜ ଘରୁ ଆଣିଥିବା ନବାନ୍ନ କୁ ଅର୍ପଣ କରିଲା ପରେ ନିଜ ନିଜ ଘରେ ନୂଆଁଖାଇ ପାଳନ କରିଛନ୍ତି ।

Advertisement

ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା । ଆଉ ଏଥିରୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ଅବା କିପରି ବାଦ ପଡିବ! ନୁଆଁଖାଇ ଦିନ ସମଲେଶ୍ୱରୀ ମନ୍ଦିର ରେ ସ୍ୱତନ୍ତ୍ର ରୀତିନୀତି ହୋଇଥାଏ । ଆଜି ଭୋର ୪ଟାରେ ମନ୍ଦିରର ମୁଖ୍ୟ ପୂଜକ ସହ ଅନ୍ୟ ପୂଜକ ମାନଙ୍କ ଦ୍ୱାରା ମା ଙ୍କ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯାଇଥିଲା । ଏହା ପରେ ଗଙ୍ଗାଜଳରେ ମା ଙ୍କ ସ୍ନାନ କରାଯାଇ ପାଟବସ୍ତ୍ର ଓ ଅଳଙ୍କାର ରେ ସୁସଜ୍ଜିତ କରାଯାଇଥିଲା । ଏହା ପରେ ମନ୍ଦିର ଦ୍ୱାରକୁ ପୁଣି ବନ୍ଦ କରି ଦିଆ ଯାଇଥିଲା । ପରେ ସକାଳ ୧୦.୧୭ ରେ ମୁଖ୍ୟ ପୂଜକ ଓ ଅନ୍ୟ ପୂଜକ ମାନେ ନିଜ ନିଜ ଘରୁ ନବାନ୍ନ ସହ ଅନ୍ୟ ସବୁ ପୂଜା ସାମଗ୍ରୀ ଓ ପିଠା ପଣା ଧରି ପୁଣି ସମଲେଶ୍ୱରୀଙ୍କ ମନ୍ଦିର କୁ ପ୍ରବେଶ କରିଥିଲେ । ଓ ପଣ୍ଡିତ ମାନଙ୍କ ଦ୍ୱାରା ନିର୍ଧାରିତ ଶୁଭଲଗ୍ନ ସକାଳ ୧୦.୨୭ ରୁ ୧୦.୪୨ ମଧ୍ୟରେ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ହୋଇଥିଲା । ପରେ ମନ୍ଦିର ଚତୁର୍ପାର୍ଶ୍ୱ ରେ ଥିବା ୧୧୫ ଦେବା ଦେବୀ ଙ୍କ ଠାରେ ନବାନ୍ନ ଲାଗି ହୋଇଥିଲା । ଆଉ ଏସବୁ ପରେ ମା ଙ୍କ ମଙ୍ଗଳ ଆଳତୀ ହୋଇଥିଲା ଓ ପରେ ଶ୍ରଦ୍ଧାଳୁ ମାନେ ନିଜ ଘରୁ ଆଣିଥିବା ନବାନ୍ନ ସହ ବିଭିନ୍ନ ପ୍ରକାର ଭୋଗ କୁ ମା ଙ୍କୁ ଅର୍ପଣ କରିବା ପରେ ନିଜ ନିଜ ଘରେ ନୂଆଁଖାଇ ପାଳନ କରିଛନ୍ତି । ଅନ୍ୟପଟେ ନୂଆଁଖାଇକୁ ଦୃଷ୍ଟିରେ ରଖି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମା ଙ୍କ ଧାଡି ଦର୍ଶନର ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଥିଲା ।

Leave a Reply

Your email address will not be published. Required fields are marked *