୮ ହଜାର ଉପରେ ଦୈନିକ ସଂକ୍ରମଣ: ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯୯୫
1 min readନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ । ଦ୍ରୁତଗତିରେ ବଢି ଚାଲିଛି ସଂକ୍ରମଣ । ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୮ ହଜାର ଉପରେ ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ହୁ ହୁ ହୋଇ ସଂକ୍ରମଣ ବଢିବା ସମସ୍ତଙ୍କୁ ଏବେ ଭୟଭୀତ କରିଛି । ଆଜି ଦେଶରେ ୮ ହଜାର ଡେଇଁଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୮,୦୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କେବଳ ୧୦ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ୪,୨୧୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ ୪୦ ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭୯୯୫ରେ ପହଞ୍ଚିଛି । ଦେଶରେ ଏଯାବତ ୪,୨୬,୪୮,୩୦୮ ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ମୋଟ ୫,୨୪,୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।