Pratidin TV

Odisha's Digital News Platform

ଗରିବଙ୍କ ଘର ହଡପ୍ କଲେ ବ୍ଲକ ବି.ପି.ସି ; ସ୍ତ୍ରୀ ଓ ବାପାଙ୍କ ନାଁରେ କଲେ ଯୋଜନା …..

1 min read

ଝରୀଗାଁ : ଗରିବଙ୍କ ବିକାଶ ପାଇଁ ହୋଇଥିବା ଯୋଜନା କୁ ହଡ଼ପ କରୁଛନ୍ତି ସରକାରୀ ବାବୁ । ବର୍ତ୍ତମାନ ପ୍ରକୃତ ହିତାଧିକାରୀ ବା ଗରିବଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା । ଧୂର୍ତ୍ତ ଷଠ ଅଧିକାରୀ ମାନେ ବି ଗରିବଙ୍କୁ ମିଳୁଥିବା ଯୋଜନାକୁ ହାତେଇବା ପାଇଁ ଅଣ୍ଟା ଭିଡ଼ି ଆତ୍ମସାତ କରୁଛନ୍ତି ଯୋଜନାକୁ । ତାହା ବି କାର୍ଯ୍ୟରେ ନୁହଁ, କାଗଜ କଲମରେ ।ତେବେ ବଡ଼ବଡ଼ିଆ ଓ ସରକାରୀ ଅଧିକାରୀ ହୋଇଥିବା ଯୋଗୁଁ ସାତ ଖୁନ ମାଫ ନୀତିରେ ଖସିଯିବାକୁ ଚାଲାକି କରି ଶେଷରେ ଧରା ପଡିଛନ୍ତି ଜଣେ ବିଭାଗୀୟ ବାବୁ। ପ୍ରକୃତ ଗରିବ ହିତାଧିକାରୀ ମାନେ ଏଣେ ଯୋଜନାରୁ ବଞ୍ଚିତ ରହି ବର୍ଷ ବର୍ଷ ଧରି ଝାଟିମାଟି କୁଡ଼ିଆ ଓ ଜରି ଛାଉଣୀରେ ଜୀବନ ଅତିବାହିତ କରୁଥିବା ବେଳେ, ସରକାରୀ କର୍ମଚାରୀ, ଧନୀ ଓ ମଧ୍ୟମ ଶ୍ରେଣୀର ଲୋକେ ଘର ସବୁ ହାତେଇ ଆରାମରେ ରହୁଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ।

ପ୍ରକାଶ ଥାଉକି ଝରିଗାଁ ବ୍ଲକ୍ ରେ କାର୍ଯ୍ୟରତ କର୍ମଚାରୀ ବି.ପି.ସି ଅଶୋକ ଶତପଥୀ ବ୍ଲକରେ କର୍ମଚାରୀ ଭାବେ କାର୍ଯ୍ୟରତ ରହିଥିବା ବେଳେ ନିଜ ହାତରେ ଗ୍ରାମୀଣ ଆବାସ ଯୋଜନା ସମସ୍ତ ନଥିପତ୍ର ଦାୟିତ୍ବ ନେଇଛନ୍ତି । ତେବେ ସନ୍ତୋଷ ଅତି ଚତୁରତାର ସହ ତାଙ୍କ ପିତା ସୁରେନ୍ଦ୍ରନାଥ ଶତପଥୀ ଓ ସ୍ତ୍ରୀ ସରିତା ଦାସଙ୍କ ନାମରେ କରିନେଇଛନ୍ତି ଦୁଇଟି ଆବାସ ଗୃହ । ହେଲେ ସରିତାଙ୍କ ରେଜିଷ୍ଟ୍ରେସନ ନମ୍ବର(OR154069519)ରହିଥିବା ବେଳେ ସୁରେନ୍ଦ୍ରନାଥଙ୍କ ରେଜିଷ୍ଟ୍ରେସନ ନମ୍ବର (OR154415701) ଅଟେ। ବିନା ଘର ନିର୍ମାଣ ରେ ଏକାଥରକେ ଏକାସାଙ୍ଗରେ ସ୍ତ୍ରୀ ଓ ବାପାଙ୍କ ନାମରେ ବିଲ କରାଇଲେ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା । କେହିବି ଜାଣି ପାରିଲେ ନାହିଁ । ତେଣେ ସାଧାରଣ ଜନତା ଗ୍ରାମୀଣ ଆବାସ ର ବିଲ୍ ଟଙ୍କା ଗୃହ ସମ୍ପୂର୍ଣ୍ଣ ବାରମ୍ବାର ବ୍ଲକ୍ ପିଣ୍ଡାରେ ତପସ୍ୟା କଲା ଭଳି ସକାଳୁ ସଞ୍ଜ ଯାଏଁ ବସି ବସି , ଯାଆସ କରି ନୟାନ୍ତ ହେଉଥିବା ବେଳେ, ବିନା ଘର ନିର୍ମାଣ କରି ମିଥ୍ୟା ତଥ୍ୟ ପ୍ରଦାନ କାରୀ ବାପା ଓ ସ୍ତ୍ରୀ ଙ୍କୁ ଗୃହ ସମ୍ପୂର୍ଣ୍ଣକରଣର ବିଲ୍ ଟଙ୍କା ପୈଠ କରିପାରିଲେ କେଉଁ ନିୟମ ବଳରେ ? ଏହା ବିପିସି ଅଶୋକ ଶତପଥି ଙ୍କର କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Advertisement

ତେଣେ ଦୁଇଟି ଘରର ସର୍ବମୋଟ୍ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ହଜମ କରି ସାରି ଥିବା ବେଳେ, କେଉଁଠି ହେଲେ ଗୋଟିଏ ବି ଘର ତୋଳିଥିବା ନଜରରେ ଆସିନାହିଁ । ତେବେ ଏନେଇ ବାନୁଆଗୁଡା ପିଇଓ ଅରୁଣୋଦୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସେ, ଏନେଇ ବିଡ଼ିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ତେଣେ ଏହି ବିଷୟ ନେଇ ଆମ ଗଣମାଧ୍ୟମ ପ୍ରତିନିଧି ବାଣୁଆଗୁଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ପୂଜାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ କିନ୍ତୁ ତାଙ୍କ ସହିତ କୌଣସି ପ୍ରକାରେ ଯୋଗାଯୋଗ ହୋଇପାରିନଥିଲା । ତେବେ ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେରଙ୍କ ସହ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହିଁ ଯୋଗାଯୋଗ ହୋଇପାରି ନଥିଲା । ଏଣେ ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହୁଥିବା ବେଳେ, କର୍ମଚାରୀମାନେ କିଭଳି ଏକାଧିକ ଘର ନିଜ ନିଜ ପରିବାରର ସଦସ୍ୟ ଙ୍କ ନାମରେ ରେଜିଷ୍ଟ୍ରେସନ କରି ଟଙ୍କା ସବୁ ହଡପ କରୁଛନ୍ତି । ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରଶାସନର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଘଟଣାର ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *