କାହିଁକି ଗଜ ବେଶ ଧାରଣ କରିଥାନ୍ତି ମହାପ୍ରଭୁ: ଜାଣନ୍ତୁ କଣ ରହିଛି ଏହା ପଛର ମହାତ୍ମ୍ୟ
1 min readଭୁବନେଶ୍ୱର: ଦେବସ୍ନାନ ପୂର୍ଣ୍ଣିମା ସହିତ ଜଗତର ନାଥ ମହାପ୍ରଭୁ ଧାରଣ କରିଥାନ୍ତି ଗଜ ବେଶ । ଗ୍ରୀଷ୍ମଋତୁକୁ ପାଳନ କରିବା ପାଇଁ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ କରାଯାଉଥିବା ବେଳେ ଅନେକ ଭକ୍ତଙ୍କୁ ଏହା ଅଜଣା କି କାହିଁକି ପାଳନ କରାଯାଏ ମହାପ୍ରଭୁଙ୍କ ଗଜବେଶ । ଏହା ପଛରେ ରହିଛି ଏକ ସମ୍ପୂର୍ଣ୍ଣ ରୋଚକ କାହାଣୀ । ମହାରାଷ୍ଟ୍ରର ଜନୈକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।
ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।
ଏହି ଦିନ ଠାକୁରଙ୍କ ଚଳନ୍ତି ପ୍ରତିମା ତ୍ରୟଙ୍କୁ ୧୦୮ କଳସ ଜଳରେ ସ୍ନାନ କରା ଯାଇଥାଏ । ସୁଗନ୍ଧଯୁକ୍ତ ତଥା ଅଭିମନ୍ତ୍ରିତ ଏହି ଜଳରୁ ୩୫ ଗରା ଶ୍ରୀ ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ବରା ସୁଭଦ୍ରାଙ୍କୁ ଓ ୧୧ଟି ଗରାରେ ସ୍ନାନ କରିଥାନ୍ତି ସୁଦର୍ଶନ ।