Pratidin TV

Odisha's Digital News Platform

ବିଶ୍ୱାସର ହୋଇଛି ଜୟ, କୋର୍ଟରେ ଆବେଦନ ଖାରଜ ପରେ ଏମିତି କହିଲେ ବର୍ଷା

1 min read

କଟକ: ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗତକାଲି ନେଇସାରିଛି ସମ୍ପୂର୍ଣ୍ଣ ଭିନ୍ନ ମୋଡ । ଯାହାକୁ କେବେ କେହି ସ୍ୱପ୍ନରେ ଭାବି ନଥିଲେ ଶେଷରେ ସେୟା ହୋଇଛି । ଦୀର୍ଘ ୩ବର୍ଷ ଧରି ଚାଲିଥିବା ଛାଡପତ୍ର ମାମଲାରେ କଟକ ଅଦାଲତ ବ୍ରେକ ଲଗାଇ ଦେଇଛନ୍ତି । କୋର୍ଟ ଉଭୟଙ୍କୁ ଝଟକା ଦେଇଛି । ଗୋଟେ ପଟେ ଛାଡପତ୍ର ପାଇଁ ଆବେଦନ ହୋଇଥିବା ବେଳେ ଅନ୍ୟପଟେ ଏକତ୍ର ରହିବା ନେଇ ହୋଇଥିଲା ଆବେଦନ । କିନ୍ତୁ ଏହି ସମସ୍ତ ଆବଦେନକୁ ଖାରଜ କରିଦେଇଛନ୍ତି ଅଦାଲତ । ତେବେ ଏହା ଜଣାପଡିବା ପରେ ଅନୁଭବଙ୍କୁ ଝଟକା ଲାଗିଥିବା ବେଳେ କୋର୍ଟଙ୍କ ରାୟ ଖୁସି ଖୁସି ଗ୍ରହଣ କରିଛନ୍ତି ବର୍ଷା । ଏହାପରେ ସେ ପ୍ରଥମେ ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡିଆରେଏକ ପୋଷ୍ଟ କରିଥିଲେ । ପରେ ଆଉ ଏକ ଫଟୋ ପୋଷ୍ଟ କରି ଥିଲେ । ନିଜ ବିବାହର ଫଟୋ ପୋଷ୍ଟ କରିଖୁସି ଜାହିର କରିଥିଲେ । ତେବେ ଆଜି ପୁଣି ଆଉ ଏକ ପୁରୀ ଜଗନ୍ନାଥ ମନ୍ଦିରରେ ପୋଷ୍ଟ କରି ଦୀର୍ଘ ଦିନ ହେଲା ମନ ଭିତରେ ଥିବା ସମସ୍ତ କୋହକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ।

ସେ ଲେଖିଛନ୍ତି ଯେ, ‘ସତ୍ୟ ଉପରେ ବିଶ୍ୱାସ, ଧୈର୍ଯ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି ଅଟେ । ଦୀର୍ଘ ତିନି ବର୍ଷର ଲଢ଼େଇ । ତିନି ବର୍ଷର ମାନସିକ ଯନ୍ତ୍ରଣା । ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ସବୁ ସହିଛି ।ତଥାପି ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା । ଏହି ଆଇନଗତ ଲଢ଼େଇରେ ମୋ ପରିବାର ସବୁବେଳେ ମୋ ସହ ଠିଆ ହୋଇଛି । ମୋ ପରିବାର ତଥା ମୋ ମା’ଙ୍କ ଆଶୀର୍ବାଦ ବିନା ଏହା କେବେ ବି ସମ୍ଭବ ହୋଇ ପାରିନଥାନ୍ତା । ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ ପାଇଁ ଲଢ଼ିଥିବା ଆଇନଜୀବୀମାନଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି ।

Advertisement

ଏହା ସହ ମୋ ଜୀବନର ଏହି ଦୁଃସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସଫଳ ହୁଏ ନାହିଁ । ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ବହୁତ ଅଧିକ । ପରିଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତାର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ।’ ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *