ଚେନ୍ନାଇ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି: ଯୌନକର୍ମୀଙ୍କୁ ଗିରଫ କରି ପାରିବନି ପୋଲିସ୍
1 min readନୂଆଦିଲ୍ଲୀ: ବେଶ୍ୟାଳୟରେ ଚଢାଉ ବେଳେ ଗିରଫ ହେବେନି ଯୌନକର୍ମୀ । ପୋଲିସ ଯେତେବେଳେ ବେଶ୍ୟାଳୟ ଉପରେ ଚଢାଉ କରିବ, ସେଠାରେ ଥିବା ଯୋନକର୍ମୀଙ୍କୁ ଗିରଫ ଏବଂ ଦଣ୍ଡିତ କରିବା ଅନୁଚିତ୍ । ଏହି ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଯୌନକର୍ମୀଙ୍କ ଗିରଫକୁ ବେଆଇନ ବୋଲି କହିଥିଲେ । ଏହାକୁ ଦୋହରାଇ ମାଡ୍ରାସ ହାଇକୋର୍ଟ କହିଛନ୍ତି, ପୋଲିସ ଯୌନକର୍ମୀଙ୍କୁ ଗିରଫ, ଦଣ୍ଡିତ କିମ୍ବା ଦୁର୍ବ୍ୟବହାର କରିପାରିବ ନାହିଁ । ବେଶ୍ୟାବୃତ୍ତିରେ ସମ୍ପୃକ୍ତ ଯୌନକର୍ମୀଙ୍କ ସ୍ବାଭାବିକ ନାଗରିକଙ୍କ ପରି ସୁରକ୍ଷା ଓ ମର୍ୟ୍ୟାଦାର ସହ ଜୀବନ ଧାରଣ କରିବା ପାଇଁ ଅଧିକାର ରହିଛି ।
ସୂଚନା ଅନୁଯାୟୀ, ତାମିଲନାଡୁ ଚିନ୍ତାଦ୍ରିପେଟ ଠାରେ ସ୍ଥିତ ଏକ ମସାଜ ସେଣ୍ଟରରେ ବେଶ୍ୟାବୃତ୍ତି ଚାଲିଥିଲା । ଏହି ସମୟରେ ପୋଲିସ ଚଢାଉ କରି ଯୌନକର୍ମୀଙ୍କ ସହ ସେଠାରେ ଉପସ୍ଥିତ ଥିବା ଉଦୟକୁମାର ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଉଦୟକୁମାର ହିଁ ବେଶ୍ୟାଳୟ ଚଳାଉଥିବାର ଅଭିଯୋଗ ଆଣି ମାମଲା ରୁଜୁ କରିଥିଲା ପୋଲିସ । ଏନେଇ ସମ୍ପୃକ୍ତ ବ୍ୟକ୍ତି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ଆବେଦନକାରୀ ବେଶ୍ୟାବୃତ୍ତି ପାଇଁ ଯୌନକର୍ମୀଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ବାଧ୍ୟ କରିନଥିଲେ । ତେଣୁ ତାଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ । ସେହିପରି ବେଶ୍ୟାଳୟରେ ଚଢାଉ ସମୟରେ ପୋଲିସ କୌଣସି ଯୌନକର୍ମୀଙ୍କୁ ମଧ୍ୟ ଗିରଫ କରାଯିବା ଅନୁଚିତ୍ ।