ଜମି ପାଇବା ଲୋଭରେ ଜଙ୍ଗଲ କାଟି ନଷ୍ଟ କରୁଥିଲେ ଆଦିବାସୀ,୩ ଗିରଫ…
1 min read
ସୁନ୍ଦରଗଡ: ପେସା ନାଁ ରେ ଜଙ୍ଗଲ କାଟି ସଫା କରୁଥିଲେ ଗାଁ ଲୋକେ । ଗିରଫ କଲା ବନ ବିଭାଗ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ବରଘାଟ ବିଟ ଅନ୍ତର୍ଗତ ବୁଢ଼ାପାହାଡ ସଂରକ୍ଷିତ ଜଙ୍ଗଲରେ ଗତ ୪ତାରିଖ ଦିନ ପେସା ନାମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏକାଠି ମିଳିତ ଭାବେ ପ୍ରାୟ ୨.୯ ହେକ୍ଟର ରୁ ଉର୍ଦ୍ଧ୍ୱ ଅଞ୍ଚଳରେ ରହିଥିବା ଜଙ୍ଗଲରୁ ଗଛ କାଟି ସଫା କରିଥିଲେ । ମୁଖ୍ୟତଃ ଶାଳ, ପିଆଶାଳ, କରଞ୍ଜ, ଶିଶୁ, କେନ୍ଦୁ, ଚାର, ଅସନ, ନିମ୍ବ ପ୍ରଭୁତି ୮୦୦ ରୁ ଉର୍ଦ୍ଧ୍ୱ ଗଛ କାଟି ସଫା କରିଥିବା ବେଳେ ୪୮ଗୋଟି ବଡ ବଡ ଗଛ ମାରିଦେବା ପାଇଁ ଘେରାଉ କରିଥିଲେ । ଏ ବାବଦରେ ବରଘାଟ ବନରକ୍ଷୀ ଜାଣିବା ପରେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ବନ ବିଭାଗ କୁଳିପୋସ , ବଣାଇ, ଜରଡ଼ା ରେଞ୍ଜ ପକ୍ଷରୁ ଏକ ଟିମ ଗଠନ କରି ସ୍ଥାନୀୟ ପୋଲିସଙ୍କ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଫଳରେ ବିଭାଗୀୟ କର୍ମଚାରୀଙ୍କୁ ଦେଖି ଗଛ କାଟୁଥିବା ଲୋକେ ଛତ୍ରଭଙ୍ଗ ଦେଇଥିଲେ । ସେମଧ୍ୟରୁ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣା ସ୍ଥଳରୁ ୧୦ ଟି ବାଇକ, ୩ଟି ସ୍କୁଟି, ଏବଂ ୧୨ ଟି ସାଇକଲ ଜବତ ହୋଇଥିଲା । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ବରଘାଟ ଗ୍ରାମର କିସାନ ମିଶ୍ର, ବୁଧରାମ ଓରାମ, ଓ ଭାଡ଼ିମରା ଗ୍ରାମର ବୁଧୁ ମୁଣ୍ଡା । ସେପଟେ ଏନେଇ ବଣାଇ ରେଞ୍ଜର କହିଛନ୍ତି ଯେ ଓଡ଼ିଶାରେ ପେସା ବୋଲି କୌଣସି ଆଇନ ନାହିଁ । ବାହାରୁ ଆସି କିଛି ଲୋକ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପାଇବା ଲୋଭ ଦେଖାଇ ବିଭ୍ରାନ୍ତ କରି ନିଜର ସ୍ୱାର୍ଥ ସାଧନ କରୁଛନ୍ତି । ଆମ ରାଜ୍ୟରେ କୌଣସି ପେସା ଜଙ୍ଗଲ ଜମି ନାହିଁ । କିନ୍ତୁ ପେସା ନାମରେ ବଳି ପଡ଼ୁଛନ୍ତି ନିରୀହ ଆଦିବାସୀ ଲୋକେ । ଏଥିରେ ସଂପୃକ୍ତ ଅନ୍ୟ ଲୋକଙ୍କୁ ଖୁବ ଶୀଘ୍ର ଗିରଫ କରିବା ସହିତ ପେଟ୍ରୋଲିଙ୍ଗ୍ ଜୋରଦାର କରା ଯିବ ବୋଲି ବଣାଇ ରେଞ୍ଜର ମନୋଜ ପାତ୍ର ପ୍ରକାଶ କରିଥିଲେ ।