Pratidin TV

Odisha's Digital News Platform

ଅସ୍ତ୍ରୋପ୍ରଚାର ପରେ ନିଜର ଦୃଷ୍ଟିଶକ୍ତି ହରାଇଲେ ୬ଜଣ ବୟସ୍କ ବ୍ୟକ୍ତି…

1 min read


ଭଦ୍ରକ: ଆଖିର ଅସ୍ତ୍ରୋପ୍ରଚାର କରି ଦୃଷ୍ଟି ଶକ୍ତି ହରାଇଲେ ବୟସ୍କ ୬ଜଣ ବ୍ୟକ୍ତି । ବାଦ୍ଧର୍କ୍ୟ ପାଇଁ ଆଖିକୁ ଭଲ ଦିଶୁ ନଥିଲା । ଆଖୁରେ ମୋତିଆବିନ୍ଦୁର ପରଳ ହୋଇଥିଲା । ଏହାର ସଫଳ ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇ ଭଦ୍ରକ ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଚକ୍ଷୁ ହସ୍ପିଟାଲକୁ ଅଣାଯାଇଥିଲା । ଏହି ଚିକିତ୍ସାଳୟରେ ଗତ ୨୮ରୁ ୩୦ତାରିଖ ମଧ୍ୟରେ ୬ଜଣ ବୟସ୍କ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଅସ୍ତ୍ରୋପ୍ରଚାର ପରେ ଆଖିକୁ ଦେଖାଯିବା ପରିବର୍ତ୍ତେ ୬ ଜଣ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇଥିଲେ । ଏହି ଘଟଣାକୁ ନେଇ ରବିବାର ସମ୍ପୃକ୍ତ ଚିକିତ୍ସାଳୟରେ ଦିନ ତମାମ ଉତ୍ତେଜନା ଲାଗି ରହିଥିଲା । ହେଲେ ଏନେଇ ହସ୍ପିଟାଲର ମ୍ୟାନେଜର କିମ୍ବା ଅପରେସନ କରିଥିବା ଡାକ୍ତର କିଛି ପ୍ରତିକ୍ରିୟା ନଦେଇ ଖସି ଯାଇଥିଲେ । ଆଉ ସୋମବାର ୬ ଜଣ ରୋଗୀଙ୍କ ମଧ୍ୟରେ ୨ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସନ୍ତୋଷ କୁମାର ପାତ୍ରଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।


ପ୍ରକାଶ ଥାଉକି, ଭଦ୍ରକ ସାବରଙ୍ଗ ଥାନା ଅଧୀନ ସରଗଡ଼ିଆ ଚାପୁଣ୍ଡିଆ ନିବାସୀ ସୁଲୋଚନା ନାୟକ(୭୨) ଓ ଭଦ୍ରକ ପୁରୁଣାବଜାର ଥାନା ଅଧୀନ ବଡ଼ଶଙ୍କରପୁର ଅଧିବାସୀ ସେଖ ଇସା(୮୩) ଙ୍କ ସହ ତାଙ୍କ ପରିବାର ଲୋକେ ସୋମବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଅଭିଯୋଗ ପତ୍ର ଦେଇଥିଲେ । ଅଭିଯୋଗରେ ଦର୍ଶାଯାଇଥିଲା ଯେ ରୋଗୀ ମାନଙ୍କୁ ହସ୍ପିଟାଲରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇ ସେମାନଙ୍କ ଠାରୁ ଦାବି ମୁତାବକ ଟଙ୍କା ନିଆଯାଇଛି ବୋଲି । ତେବେ ଗୋଟିଏ ଦିନରେ ଅଧିକ ସଂଖ୍ୟକ ଅସ୍ତ୍ରୋପଚାର ଫଳରେ ଭୁଲ୍ ଚିକିତ୍ସାରୁ ସେମାନେ ତାଙ୍କର ଗୋଟିଏ ଗୋଟିଏ ଚକ୍ଷୁ ହରାଇଥିଲେ । ତେଣୁ ଏଥିପାଇଁ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟୀ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ସହ କ୍ଷତିପୂରଣ ଦାବି କରିଥିଲେ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତିମାନେ । ସେମାନଙ୍କ ସହ ସମାଜ ସେବି ରାଜଲକ୍ଷ୍ମୀ ମହାପାତ୍ର ମଧ୍ୟ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *