ବୃଦ୍ଧ ବୟସରେ ହେଲା ପ୍ରେମ, ସାତଜନ୍ମର ସାଥି ହେଲେ ପ୍ରେମୀଯୁଗଳ…
1 min read
ବାଲେଶ୍ୱର: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ ଓ ପ୍ରେମ ସତ୍ୟ । ପ୍ରେମ କେତେବେଳେ କାହାକୁ କେଉଁଠି ହୁଏ, ଏକଥା ହୁଏତ କେହି କହିପାରେନା । ପ୍ରେମରେ ନା ଥାଏ ବୟସର ତାରତମ୍ୟ, ନା ଦେଖାଯାଏ ଧନୀ କି ଗରିବ? ପ୍ରେମ ଦୁଇ ହୃଦୟକୁ ଯୋଡିଥାଏ । ପରସ୍ପର ମଧ୍ୟରେ ଭଲ ପାଇବାକୁ ଦ୍ୱିଗୁଣିତ କରିଥାଏ । ଆଉ ପ୍ରେମ ହୋଇଥିବା ଲୋକଟି ଭାରି ନିଜର ଲାଗେ । ସେହିପରି ବାଲେଶ୍ୱରେ ଦେଖିବାକୁ ମିଳିଛି ଏକ ପ୍ରେମ କାହାଣୀ । ଲେପ୍ରୋଷି କଲୋନୀରେ ଦୁଇ ବୃଦ୍ଧ ଓ ବୃଦ୍ଧାଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ପରେ ଉଭୟଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି ।
ସୂଚନା ମୁତାବକ ଲେପ୍ରୋଷି କଲୋନିରେ ୬୩ ବର୍ଷୀୟ ଦାସ ମାରାଣ୍ଡି ଓ ଓଉପଦାର ୬୫ବର୍ଷୀୟ ପଦ୍ମାବତି ଦାସ କୁଷ୍ଟ ଚିକିତ୍ସିତ ହୋଇ ଗତ ୧୫ ବର୍ଷ ଧରି ରହି ଆସୁଥିଲେ । ଉଭୟ ଙ୍କ ମଧ୍ୟରେ ଭଲ ପାଇବା ଘଢି ଉଠିଥିଲା । ଉଭୟ ଏକାଠି ରହିବା ତଥା ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ଏ ବିଷୟରେ ପ୍ରଥମେ ଲେପ୍ରୋଷୀ ବିଭାଗ ର ଡାକ୍ତର ସୁମିତ୍ରା ଦେଙ୍କୁ ଜଣାଇଥିଲେ । ଡ.ଦେଙ୍କ ପ୍ରଚେଷ୍ଟାରେ ଶୁକ୍ରବାର ମଧ୍ୟାହ୍ନରେ ଉଭୟଙ୍କ ବିବାହ କୁଷ୍ଟା ଆଶ୍ରମରେ ଥିବା ଜଗନ୍ନାଥ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା । ଏହି ବିବାହ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲ ସିଂ ଜଗଦେବ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୃତ୍ୟୁଜୟ ମିଶ୍ର ଓ ଅଧିକାରୀ ଉପସ୍ଥିତ ଥିଲେ ।