Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଝଟକା,ଶୁକ୍ରବାର ଇଡିରେ ହାଜର ହେବାକୁ ଅଶୋକ ଗେହେଲଟଙ୍କ ପୁଅକୁ ମିଳିଲା ନୋଟିସ୍‌

1 min read

ରାଜସ୍ଥାନ: ବିଧାନସଭା ନିର୍ବାଚନକୁ ଆଉ ମାତ୍ର ହାତ ଗଣତି ଦିନ ବଂଚିଛି । ତେବେ ତାହାରି ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଲାଗିଛି ଝଟକା । କାରଣ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ନୋଟିସ ଜାରି କରିଛି ଇଡି । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ କରିଛି । ଶୁକ୍ରବାର ପଚରାଉଚରା ପାଇଁ ବୈଭବଙ୍କୁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବୈଦେଶିକ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗରେ ବୈଭବଙ୍କୁ ଇଡି ସମନ କରିଛି । କିଛି ମାସ ପୂର୍ବେ ଇଡି ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍ ହୋଟେଲ ନାମକ ଏକ ଫାର୍ମ ବିରୋଧରେ ଚଢ଼ାଉ କରିଥିଲା । ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ ଅଧୀନରେ ୨୯ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ରିସୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରତନ କାନ୍ତ ଶର୍ମା, ଯିଏକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟଙ୍କ ବିଜ୍‌ନେସ୍ ପାର୍ଟନର ଅଟନ୍ତି । ଏହି ମାମଲାରେ ରତନ କାନ୍ତଙ୍କ ସମ୍ପୃକ୍ତି ରହିଛି । ସେପଟେ ଇଡିର ରେଡକୁ ନେଇ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ । ଆସନ୍ତା ୨୩ ନଭେମ୍ବରରେ ରାଜସ୍ଥାନରେ ଭୋଟ ହେବାକୁ ଥିବାବେଳେ ଜାଣିଶୁଣି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଆହୁରି କହିଛନ୍ତି ଯେ ବିଜେପି ଚାହୁଁଛି କି ରାଜସ୍ଥାନରେ ମହିଳାମାନଙ୍କର ଉନ୍ନତି ନହେଉ । ସଂପୃକ୍ତି ମାମଲାରେ ୨୦୦୪ରୁ ୨୦୧୪ ଭିତରେ ୧୧୨ ଥର ଯାଂଚ କରାଯାଇଛି । ହେଲେ ଏହି ମାମଲାରେ କିଛି ବି ପ୍ରମାଣ ମିଳି ନାହିଁ । ପୂର୍ବରୁ ମଧ୍ୟ ଦିଲ୍ଲୀରେ ଇଡି ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ନୋଟିସ ମଧ୍ୟ ପଠାଯାଇଛି । ତେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଇଡିର ନୋଟିସ ହେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *