ଦାୟିତ୍ୱ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଓଡିଶାର ନୂଆ ରାଜ୍ୟପାଳ..
1 min readଭୁବନେଶ୍ୱର: ଓଡିଶା ଆସି ପହଞ୍ଚି ସାରିଛନ୍ତି ନୂଆ ରାଜ୍ୟପାଳ । ବର୍ତ୍ତମାନ ପୁରୀରେ ପହଞ୍ଚିଛନ୍ତି ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ସୋମବାର ଭୋରରେ ପୁରୀରେ ପହଞ୍ଚିଛନ୍ତି । ଆସନ୍ତା ୩୧ ତାରିଖରେ ତଥା ମଙ୍ଗଳବାର ଦିନ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ରଘୁବର ଦାସ । ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ନୂଆ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ଆଣିବା ପାଇଁ ପୁରୀରେ ଉପସ୍ଥିତ ରହିଛନ୍ତି ।
ଆଜି ପୁରୀରେ ପହଞ୍ଚି ରଘୁବର ଦାସ ପୁରୀ ରାଜଭବନକୁ ଯାଇଛନ୍ତି । ସେଠାରୁ ପୂର୍ବାହ୍ନ ୯ଟାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଯାଇଥିଲେ । ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରି ପୁଣି ପୁରୀ ରାଜଭବନ ଅଭିମୁଖେ ବାହାରିବେ । ସେଠାରୁ ୧୨ଟା ୧୫ରେ ଭୁବନେଶ୍ୱରସ୍ଥିତ ରାଜଭବନ ଅଭିମୁଖେ ଆସିବେ । ଏଠାରେ ସୋମବାର ରାତ୍ରିଯାପନ କରିବେ । ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ । ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ ।
ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୂଆ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସାଙ୍ଗରେ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାରବର୍ଗଙ୍କୁ ଆଣୁଛନ୍ତି । ସମସ୍ତେ ଟ୍ରେନ୍ରେ ଝାଡ଼ଖଣ୍ଡରୁ ପୁରୀ ଆସିବେ । ରାଜ୍ୟପାଳଙ୍କୁ ଜେଡ୍+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।