Pratidin TV

Odisha's Digital News Platform

ଖୋଲିଲା ଚିତ୍ତରଞ୍ଜନ ହତ୍ୟାକାଣ୍ଡର ରହସ୍ୟ,ସାଙ୍ଗ ରଚିଥିଲା ହତ୍ୟାର ଷଡଯନ୍ତ୍ର..

ମୟୂରଭଞ୍ଜ : ସାଙ୍ଗ ସାଜିଲା ହତ୍ୟାକାରୀ । ଦୀର୍ଘ ଦିନରୁ ରଚିଥିଲା ସାଂଘାତିକ ଷଡଯନ୍ତ୍ର । ଗାଡିର ମାଲିକାନା ପରିବର୍ତ୍ତନକୁ ନେଇ ହୋଇଥିଲା ଚିତ୍ତରଂଜନ ବେହେରାଙ୍କ ଜଘନ୍ୟ ହତ୍ୟାକାଣ୍ଡ । ଏଭଳି ତଥ୍ୟ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଉପଖଣ୍ଡ ପୋଲିସ୍ ଅଧିକାରୀ । କପ୍ତିପଦା ଥାନା ସମୀବୃକ୍ଷ ନିକଟରେ ଗାତରେ ପୋତା ଯାଇଥିବା ମୃତଦେହ ଉଦ୍ଧାର ହେବା ପରେ ପୁରା ଘଟଣାର ଏବେ ହୋଇଛି ପର୍ଦ୍ଦାଫାସ । ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତ ସଂପୃକ୍ତ ରହିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହିତ ୩ ଜଣଙ୍କୁ ଗିରଫ କରିଛି କପ୍ତିପଦା ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ମୃତ ଚିତରଂଜନ ବେହେରାଙ୍କ ସାଙ୍ଗ ହୋଟେଲ ମାଲିକ ପ୍ରଫୁଲ୍ଲ ବେହେରା । ପ୍ରଫୁଲ୍ଲ ବେହେରାଙ୍କ ନିକଟରୁ ଏକ ୭୦୯ ଗାଡି କିଣିଥିଲେ ମୃତ ଚିତରଂଜନ । ତେବେ ଗାଡିର ମାଲିକାନା ପରିବର୍ତନକୁ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ବାରମ୍ବାର କଥା କଟାକଟି ହୋଇ ଆସିଥିଲା । ଶେଷରେ ଗତ ରବିବାର ଦିନ ବିଧିବଦ୍ଧ ଯୋଜନା ଅନୁସାରେ ପିକନିକ୍ କରିବା କହି ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ମୃତକ ଚିତ୍ତରଂଜନଙ୍କୁ ସାଙ୍ଗରେ ନେଇ ସମୀବୃକ୍ଷ ଅଂଚଳକୁ ଆସିଥିଲେ ।

ସେଠାରେ ପ୍ରଫୁଲ୍ଲଙ୍କର ଅନ୍ୟ ତିନି ଜଣ ସହଯୋଗୀ ଜଗି ରହିଥିବା ବେଳେ ପ୍ରଥମେ ରୋଟି ଏବଂ ମଟନ ଖାଇଥିଲେ । ପରେ ସମୀବୃକ୍ଷ ନିକଟକୁ ନେଇ ସେଠାରେ ଚିତ୍ତରଂଜନଙ୍କ ଗଳାକାଟି ହତ୍ୟା କରିବା ପରେ ଚାରି ଫୁଟର ଗାତ ତାଡି ସେଥିରେ ପୋତି ଦେଇଥିଲେ । ଏହା ସହିତ ଯେତେବେଳେ ଚିତ୍ତରଂଜନ ନିଜ ଘରୁ ବାହାରି ଆସିଥିଲେ ସେତେବେଳେ ସମସ୍ତ ତଥ୍ୟ ସିସିଟିଭିରେ କଏଦ ହୋଇଥିବାରୁ ତାହାକୁ ମଧ୍ୟ ନଷ୍ଟ କରିବା ନିମନ୍ତେ ସେମାନେ ସିସିଟିଭି, ହାଡଡିସ୍କ ଆଦି ଆଣି ଉଦଳାର ଏକ ବନ୍ଧରେ ଫୋପାଡି ଦେଇଥିଲେ ।

ଏପରିକି ମୃତଦେହକୁ ନଷ୍ଟ କରିବା ନିମନ୍ତେ ଦେବଳା ବଜାରରୁ ୬ କିଲୋ ଲୁଣ କିଣିଥିଲେ ହତ୍ୟାକାରୀ । ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ଶିଳ୍ପାଂଚଳ ଥାନା ଅଂଚଳର ପ୍ରଫୁଲ୍ଲ ବେହେରା, ଦେବଳା ଅଂଚଳର ଜୟଚନ୍ଦ୍ର ସିଂ ଏବଂ ରସ ମୋହନ ସିଂଙ୍କୁ ପୋଲିସ୍ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତଫେରାର ରହିଛି । ଏ ସବୁ ଭିତରେ ମୁଖ୍ୟ ଅଭିଯୁକ୍ତ ନିଜର ଅନ୍ୟ ସହଯୋଗୀଙ୍କୁ ହତ୍ୟା ନିମନ୍ତେ ୨୫ ହଜାର ଟଙ୍କା ଦେବ ବୋଲି ମଧ୍ୟ କହିଥିବା ପୋଲିସ୍ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *