Pratidin TV

Odisha's Digital News Platform

ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ ବାଘ, ଚକିତ ହେଲା ବନ୍ୟପ୍ରାଣୀ ବିଭାଗ ….

ଗଜପତି ; ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି । ୭୫୦ କିଲୋମିଟର ଅତିକ୍ରମ କରି ଭାରତର ପଶ୍ଚିମରେ ଥିବା ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜକୁ ଆସିବା ନିହାତି ଆଶ୍ଚର୍ଯ୍ୟଜନକ କଥା । ଏହା ମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଛି । ବାଘର ଷ୍ଟ୍ରାଇପ ବା ଦେହରେ ଥିବା କଳା ପଟି ପଟି ଦାଗରୁ ଏହା ଜାଣିବାକୁ ପାଇଛି ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ବନ୍ୟାପ୍ରାଣୀ ପିସିସିଏଫ୍ ଙ୍କ ସୂଚନା ଅନୁସାରେ, ୨୦୨୧ରେ ଏହି ମହାବଳ ବାଘର ଫଟୋ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା । ଏବେ ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଛି ।

ସୁରକ୍ଷିତ ବାସସ୍ଥାନ ଓ ସାଥି ସନ୍ଧାନରେ ଏହା ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମହାବଳ ବାଘଟି ଏତେ ଦୂରକୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ଖୁବ୍ ବିରଳ ବୋଲି କୁହାଯାଉଛି । ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି ।

ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ବିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିଛି ଦିନ ତଳେ ଗଜପତି ଜିଲ୍ଲା ରାୟଗଡ଼ା ଅଞ୍ଚଳରେ ବାଘଟି ବୁଲୁଥିବା ଓ ଗାଈଗୋରୁ ଶିକାର କରୁଥିବା ଜଣାପଡ଼ିବା ପରେ ଆତଙ୍କ ଦେଖାଦେଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପରେ ଏହାର ଚିତ୍ର କଏଦ ହେବା ପରେ ବାଘର ସ୍ଥିତି ସ୍ପଷ୍ଟ ହୋଇଥିଲା ।ତେବେ ମହାବଳ ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ଗଜପତି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *