ଅଯୋଧ୍ୟାରେ ପାଦ ଦେଲେ ପ୍ରଧାନମନ୍ତ୍ରୀ , ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ସହ ଅମୃତ ଭାରତର କଲେ ଶୁଭାରମ୍ଭ ……
1 min readଉତ୍ତରପ୍ରଦେଶ ; ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ଆଜି ଶ୍ରୀରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ , ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନ ସହ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ମୋଦି । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେଠାରେ ପହଞ୍ଚି ମୋଦି ଅଯୋଧ୍ୟା ପାଇଁ ମୋଟ ୧୫ ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ରହିଛି । ଆଜି ଦିନ ୧୧ ଟା ୧୫ ମିନିଟରେ ଏସବୁ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ରହିଛି, ଯାହାକି ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ। ଟ୍ରେନରେ ଯାତ୍ରୀଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି।