ବନ୍ଦ ହେବ କଟକର ୪୦ ବର୍ଷ ପୂରୁଣା ଡିଅର ପାର୍କ ।
1 min readକଟକ ; ଦୁଃଖରେ କାନ୍ଧୁଛନ୍ତି କଟକ ବାସୀ । ଆଉ ପଚାରୁଛନ୍ତି ଯେ ଏହା କଟକର ଉନ୍ନତିକରଣ ନା କଟକକୁ ତା ଇତିହାରୁ ଦୂର କରାଯାଉଛି । କଟକ ର ହରିଣ ପାର୍କ କିଏ ବା ନ ଜାଣେ । କଟକ ତୁଳସୀପୁର ମଧୁସୂଦନ ନଗରର ଏହି ହରିଣ ପାର୍କ ଯେମିତି କଟକ ର ଏକ ଅଂଶ । ହେଲେ ଏହି ହରିଣ ମାନଙ୍କୁ ଏବେ କରାଯାଉଛି ସ୍ଥାନାନ୍ତର । ଅଟୋ କିମ୍ବା ଟାଉନ ଏମିତିକି ରିକ୍ସା ବାଲା କୁ ଯଦି କୁହାଯାଏ ହରିଣ ପାର୍କ ଛକରେ ଛାଡ଼ିବାକୁ ତେବେ ସେ ନିର୍ଦ୍ଵନ୍ଦରେ ଆଣି ଛିଡ଼ା କରିଦିଏ ୪୦ ବର୍ଷର ଏହି ହରିଣ ପାର୍କ ଠାରେ । ବର୍ତ୍ତମାନ କିନ୍ତୁ ଏହି ହରିଣ ମାନଙ୍କୁ କଟକ ହରିଣ ପାର୍କ ରୁ ନିଆଯାଉଛି ଚନ୍ଦକା କୁ ।
୧୯୮୧ ମସିହାରେ ମହାନଦୀ କୂଳରେ ଗଢ଼ି ଉଠିଥିଲା କଟକର ଏହି ହରିଣ ପାର୍କ । ଚାରି ଏକର ଜମିରେ ନିର୍ମିତ ଏହି ହରିଣ ପାର୍କକୁ ନନ୍ଦନକାନନ ରୁ ପ୍ରଥମେ ୬ଟି ହରିଣ ଅଣାଯାଇଥିଲା । ଆଉ ଏବେ ହରିଣ ପାର୍କରେ ହରିଣଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ରାସ୍ତା ସମ୍ପ୍ରସାରଣ ହେବାକୁ ଥିବାବେଳେ ଏଠି ଆଉ ହରିଣ ରହିବାକୁ ଜାଗା ନାହିଁ । ଯେଉଁଥିପାଇଁ କଥା କହି ପାରୁ ନଥିବା ଏହି ନିରୀହ ପଶୁଙ୍କୁ ଏବେ ସ୍ଥାନାନ୍ତରିତ କରାଯାଉଛି ଚନ୍ଦକା ପାଖରେ ତିଆରି ସ୍ପେଶିଆଲ ଏନକ୍ଲୋଜର କୁ । ତେବେ ଏଠି ପ୍ରଶ୍ନ ଉଠୁଛି ମଣିଷଙ୍କ ସଂସ୍ପର୍ଶରେ ରହୁଥିବା, ଓ ମଣିଷ କଥାକୁ ଶୁଣୁଥିବା ଏହି ହରିଣମାନେ ଖାପ୍ ଖୁଆଇ ପାରିବେ କି ଜଙ୍ଗଲ ଭିତରେ ବନିଥିବା ନୂଆ ଏନକ୍ଲୋଜର ରେ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଏହିଠାରୁ ୧୩ହରିଣ ସ୍ଥାନାନ୍ତର ହୋଇ ସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ହରିଣ ଚନ୍ଦକା କୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ସେମାନଙ୍କୁ ମୁକ୍ତ ପରିବେଶ ସହ ଉତ୍ତମ ସେବା ମିଳିବ ବୋଲି ମତପ୍ରକାଶ କରିଛନ୍ତି ଏ ସିଏଫ୍, ସିଟି ଫରେଷ୍ଟର ।
ଏପଟେ ହରିଣମାନଙ୍କୁ ପ୍ରତିଦିନ ଦେଖିବାକୁ ଆସୁଥିବା ଦେଖଣାହାରି ବିଭିନ୍ନ ପ୍ରକାର ଖାଦ୍ୟ ଯେପରି ବିସ୍କୁଟ, କେକ୍ ଭଳି ଡ୍ରାଏଫୁଡ୍ ଇତ୍ୟାଦି ହରିଣ ମାନଙ୍କୁ ଖାଇବାକୁ ଦେଇଥାନ୍ତି । ଯାହାକି ହରିଣ ମାନେ ଏହି ଖାଦ୍ୟକୁ ନିଜର ପ୍ରତିଦିନ ଖାଦ୍ୟ ତାଲିକା ଭଳି ଆପଣେଇ ନେଇଥିଲେ । କିନ୍ତୁ ଏବେ ସେଠି ସେ ଖାଦ୍ୟ ତାଙ୍କୁ ମିଳିବନାହିଁ । ଜଙ୍ଗଲ ଭିତରେ ନା ସେ ଦର୍ଶକ ନା’ ମିଳିବ ସେ ଡ୍ରାଏଫୁଡ୍ ଖାଦ୍ୟ । କେବଳ ସେତିକି ନୁହେଁ ଅନେଶ୍ଵତର ମହାବାତ୍ୟା, ଓ ଫନି ଭଳି ଦୁର୍ବିପାକ ସମୟରୁ ହରିଣ ମାନଙ୍କର ସେବା, ଶୁଶ୍ରୁଷା କରୁଥିବା ଶିବ ନନା ଓ ସୁଦାମଙ୍କୁ ବି ଝୁରିବେ ଏହି ନିରୀହ ପଶୁମାନେ । ଅବଶ୍ୟ କିଛିଦିନ ପରେ ଭୁଲିଯିବେ ଏହି ହରିଣମାନେ କିନ୍ତୁ ମଲା ପର୍ୟ୍ୟନ୍ତ ରାବଣ, ବୁଢ଼ା, ଚୁଆଁ ସ୍ମୃତି ହୋଇ ରହିବେ ବୋଲି କହିଛନ୍ତି ଉଭୟ ଶିବ ନନା ଓ ସୁଦାମ । ଦୀର୍ଘ ୪୦ ବର୍ଷ ହେବ କଟକର ଏହି ହରିଣ ପାର୍କ କଟକିଆ ପାଇଁ ବନିଥିଲା ଚିଡ଼ିଆ ଖାନା । ପ୍ରତିଦିନ ଚାରିଟା ବାଜିଲେ ଲୋକମାନେ ନିଜ ପିଲାଛୁଆଙ୍କୁ ଧରି ବାହାରନ୍ତି ଡିଅର ପାର୍କ । ଆଣିଥିବା କିଛି ଖାଦ୍ୟ ପକାଇ ହରିଣ ମାନଙ୍କ ସହ କରନ୍ତି ସମୟ ଅତିବାହିତ ।