Pratidin TV

Odisha's Digital News Platform

ବାଙ୍ଗିରିପୋଷି ଘାଟିରେ ଅଘଟଣ ; କଣ୍ଟେନର ଓ ତେଲ ଟାଙ୍କିରେ ଲାଗିଲା ନିଆଁ ,ଗାଡି ସହ ଜଳିଗଲେ ଡ୍ରାଇଭର….

ବାରିପଦା : ନୂଆ ବର୍ଷ ଆରମ୍ଭରେ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ପୁଣି ଘଟିଯାଇଛି ଦୁର୍ଘଟଣା। ଘାଟିରେ ଭାରସାମ୍ୟ ହରାଇ କଣ୍ଟେନର ଓ ତେଲ ଟାଙ୍କି ଘାଟିର ଦଶ ମିଟର ତଳକୁ ଖସି ପଡ଼ିଛି। ୪୯ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିଲା ୨ ଟି ଗାଡି । ଗୋଟେ ପରେ ଗୋଟିଏ ଗାଡ଼ି ଖସିବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।

ଆଜି ସକାଳ ପ୍ରାୟ ୮ଟା ସମୟରେ ଏକ ତେଲ ବୋଝେଇ ଟ୍ୟାଙ୍କର ଓ ଏକ ଟ୍ରକ୍ କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ପାଖାପାଖି ଥିବା ୨ଟି ଗାଡ଼ି ଭାରସାମ୍ୟ ହରାଇ ବସି ୧୦ ଫୁଟ ତଳକୁ ଖସି ପଡ଼ିଥିଲେ। ଏହାପରେ ତତ୍କ୍ଷଣାତ ତେଲ ବୋଝେଇ ଟ୍ରକ୍ରେ ନିଆଁ ଲାଗି ଜଳିଯିବା ସହ ଡ୍ରାଇଭର ଜଣଙ୍କ ମଧ୍ୟ ଗାଡିରେ ଜୀଅନ୍ତା ଜଳିଯାଇଥିବା ଜଣାପଡିଛି ।

ଖବର ପାଇଁ ତୁରନ୍ତ ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର‌୍ୟ୍ୟରେ ଲାଗିପଡିଥିଲେ । ତେଲ ବୋଝେଇ ଟ୍ରକ୍ଟି ହୁତୁହୁତୁ ହୋଇ ଜଳୁଥିବାରୁ ସଙ୍ଗେସଙ୍ଗେ ନିଆଁକୁ କାବୁ କରିବା ସମ୍ଭବପର ହୋଇ ନଥିଲା । ତେଣୁ ଟ୍ରକ୍ ଭିତରେ ଥିବା ମୃତଦେହକୁ ଉଦ୍ଧାର କରାଯାଇ ପାରିନି। ଏଥିସହ ଟ୍ରକ୍ ତଳେ ଅନ୍ୟ ଜଣେ ଡ୍ରାଇଭର ଚାପି ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରିବା ସମ୍ଭବପର ହୋଇ ପାରିନି।

Leave a Reply

Your email address will not be published. Required fields are marked *