Pratidin TV

Odisha's Digital News Platform

ଜୀବନରେ ସବୁ ଆଶା ହରାଇ ସାରିଛି , ଏବେ ବଞ୍ଚିବା ଅପେକ୍ଷା ଜେଲ୍ ରେ ମରିଯିବା ଭଲ , କୋର୍ଟ ଏମିତି କହିଲେ ‘ଜେଟ୍‌ ଏୟାର୍‌ୱେଜ୍‌’ର ପ୍ରତିଷ୍ଠାତା

1 min read

ସମୟ କେତେବେଳେ କାହାପାଇଁ ବଦଳିଯାଏ ତାହା କେହି କହି ପାରିବେନି । ଭାଗ୍ୟ କେତେବେଳେ କଡ଼ ଲେଉଟାଏ ତାହା କହିହେବନି । ଆଜି ଯିଏ ଅମୀର, କାଲି ସେ ଫକୀର; ଆଜି ଯିଏ ଗରିବ, କାଲି ସେ ଧନୀ । ଆଜି ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଦିନେ ଯାହାଙ୍କ ପାଖରେ ଥିଲା କୋଟି କୋଟି ଟଙ୍କା । ଐଶ୍ୱର୍ଯ୍ୟ ଆନନ୍ଦ ଭିତରେ ଯିଏ ଜୀବନ ବଞ୍ଚୁଥିଲେ ଯାହା ଚାହୁଁଥିଲେ ତାହା କରୁଥିଲେ । ଆଜି ସେହି ବ୍ୟକ୍ତି ନିଜ ମୃତ୍ୟୁ ପାଇଁ କୋର୍ଟରେ ଗୁହାରି କରୁଛନ୍ତି । ଏହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି , ଇଏ ହେଉଛନ୍ତି ‘ଜେଟ୍‌ ଏୟାର୍‌ୱେଜ୍‌’ର ମାଲିକ ନରେଶ ଗୋଏଲ୍‌ । ଯିଏ ଆଜି ଜୀବନର ସବୁ ଆଶା ହରାଇ ବିଚାରପତିଙ୍କ ଆଗରେ ହାତ ଯୋଡି କାନ୍ଦିବା ସହ ମୃତ୍ୟୁର ଭିକ୍ଷା ମାଗିଛନ୍ତି । କୋହ ଭରା କଣ୍ଠରେ ବିଚାରପତିଙ୍କୁ କହିଛନ୍ତି ‘ମୁଁ ମୋ ଜୀବନର ସମସ୍ତ ଆଶା ହରାଇ ଦେଇଛି । ଏମିତି ପରିସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲରେ ମରିଯିବା ଭଲ ।’ କାନାରା ବ୍ୟାଙ୍କ୍‌ରୁ ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ନରେଶ ଗୋଏଲ୍ ଜାମିନ ପାଇଁ କରିଥିବା ଆବେଦନର ଶୁଣାଣି ବେଳେ କୋର୍ଟରେ ସେ ଏକଥା କହିଛନ୍ତି । ଲୁହ ଛଳଛଳ ଆଖିରେ ସେ କହିଲେ ଯେ, ସ୍ତ୍ରୀ ଅନୀତାଙ୍କୁ ବହୁତ ମିସ୍ କରୁଛନ୍ତି । ତାଙ୍କ ପତ୍ନୀ ଅନୀତା ଏବେ କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଅଛନ୍ତି । ବ୍ୟାଙ୍କ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ବର୍ଷ ସେପ୍ଟେମ୍ବର ୧ରେ ଗୋୟଲଙ୍କୁ ଗିରଫ କରିଥିଲା । ସେ ଏବେ ଆର୍ଥର ରୋଡ୍ ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସେ ସ୍ୱତନ୍ତ୍ର ଜଜ୍ ଏମ.ଜି ଦେଶପାଣ୍ଡେଙ୍କ ନିକଟରେ ଜାମିନ ଆବେଦନ କରିଥିଲେ ।ଶନିବାର ତାଙ୍କୁ କୋର୍ଟରେ ହାଜର ରାଯାଇଥିଲା । କୋର୍ଟରେ ଶୁୁଣାଣି ଚାଲିଥିବା ବେଳେ ସେ ବ୍ୟକ୍ତିଗତ ଶୁଣାଣି ପାଇଁ ଅନୁରୋଧ କରିଥିଲେ, ଜଜ୍ ମଧ୍ୟ ତାହା ଗ୍ରହଣ କରିଥିଲେ । କୋର୍ଟ ‘ଡାଏରୀ’ ଅନୁଯାୟୀ, ଗୋୟଲ ହାତ ଯୋଡ଼ି ତାଙ୍କ ସ୍ୱାସ୍ଥ୍ୟ ବହୁତ ବିଗିଡ଼ି ଯାଇଛି ବୋଲି କହିଥିଲେ । ତାଙ୍କର ଏକମାତ୍ର ଝିଅ ମଧ୍ୟ ଅସୁସ୍ଥ । ଏଭଳି ସ୍ଥିତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ତାଙ୍କ ପତ୍ନୀଙ୍କ ସେବା କରିବାକୁ କେହି ନାହାଁନ୍ତି । ଗୋୟଲ ଏହି ସବୁ କଥା କହିବାବେଳେ ଥରୁଥିଲେ । ଛିଡା ହେବା ପାଇଁ ମଧ୍ୟ ତାଙ୍କୁ ସାହାରା ଦରକାର ପଡ଼ିଥିଲା ।ଗୋୟଲ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ପତ୍ନୀଙ୍କ ଅସୁସ୍ଥତା ସହ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ କହିଥିଲେ । ଗୋୟଲଙ୍କ କଥା ଶୁଣିବା ପରେ ତାଙ୍କୁ ବେସାହାରା ଛାଡ଼ି ଦିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ କୋର୍ଟ । ତାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯଥାସମ୍ଭବ ଯତ୍ନ ନିଆଯିବ ବୋଲି ଜଜ୍ ତାଙ୍କୁ କହିଥିଲେ । କୋର୍ଟ ଗୋୟଲଙ୍କ ଓକିଲମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଆବେଦନ ଉପରେ ଇଡି ଜବାବ ଦାଖଲ କରିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬ରେ ହେବ ।

Advertisement

Leave a Reply

Your email address will not be published. Required fields are marked *