Pratidin TV

Odisha's Digital News Platform

ସମାଜ ସେବାରେ ଅର୍ଚ୍ଚନା ନାଗ , ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ଖାଦ୍ୟ ଓ ଲୁଗା ..

ଅର୍ଚ୍ଚନା ନାଗ । ଏହି ନାଁ ଦିନେ ସାରା ଓଡିଶାକୁ ହୁଲୁସ୍ତୁଲ କରିଥିଲା । ବଡ ବଡିଆଙ୍କୁ ଫସେଇ ଲୁଟିବା ଠାରୁ , ସେକ୍ସ ସ୍କାଣ୍ଡାଲ ପର୍ଯ୍ୟନ୍ତ ସବୁଠି ତାଙ୍କର ହାତ ଥିବା ନେଇ ଚର୍ଚ୍ଚା ହେଉଥିଲା । ତା ସହିତ ଏସବୁ ବିବାଦରେ ଛନ୍ଦି ହୋଇ ଅର୍ଚ୍ଚନା ଜେଲ୍ ମଧ୍ୟ ଯାଇଥିଲେ । ଦୀର୍ଘ ସମୟ ଧରି ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟିବା ପରେ ଏବେ ସେ ବେଲ୍‌ରେ ଜେଲ୍‌ରୁ ବାହାରିଛନ୍ତି । ଜେଲ୍‌ରୁ ବାହାରିବା ପରେ ସେ ସମାଜ ସେବାରେ ଲାଗିପଡିଛନ୍ତି । ସାରା ଓଡିଶାବାସୀଙ୍କର ତାଙ୍କ ପ୍ରତି ଥିବା ଧାରଣାକୁ ବଦଳାଇବା ପାଇଁ ସେ ସମାଜସେବାକୁ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି । ତା ସହିତ ଲୋକମାନଙ୍କର ପ୍ରିୟ ହେବାକୁ ଚାହୁଁଛନ୍ତି । ସେଥିପାଇଁ ଏବେ ସମାଜସେବାରେ ଲାଗିପଡିଛନ୍ତି ସାରାଓଡିଶାରେ ହନିଟ୍ରାପ କୁଇନ୍ ଭାବରେ ପରିଚିତ ଥିବା ଅର୍ଚ୍ଚନା ନାଗ ।

ସତ୍ୟବିହାର ଅଞ୍ଚଳରେ ଥିବା ଏକ ବସ୍ତିକୁ ଯାଇ ବସ୍ତିବାସୀଙ୍କୁ ଭାତ ଓ ଡାଲ୍‌ମା ଖାଇବାକୁ ଦେଇଥିଲେ । କେବଳ ସେତିକି ନୁହେଁ, ଯେଉଁ ପିଲା ଖାଇପାରୁନଥିଲେ, ତାଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳିଥିଲା । ଖାଇସାରିବା ପରେ ବସ୍ତି ରେ ଥିବା ମହିଳା ମାନଙ୍କୁ ଲୁଗା ବଣ୍ଟନ କରିଥିଲେ । ୧୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଶାଢ଼ୀ ଓ ୫୦ରୁ ଅଧିକ ପିଲାଙ୍କୁ ଶାର୍ଟ ଏବଂ ପ୍ୟାଣ୍ଟ ଦେଇଥିଲେ । ତେବେ ହଠାତ୍ ଅର୍ଚ୍ଚନାଙ୍କର ଏକି ରୁପ । ଯିଏ ଲୋକଙ୍କୁ ନିଜ ଜାଲରେ ଫସେଇ ଠକେଇ କରୁଥିଲେ , ସିଏ ପୁଣି ଆଜି ସମାଜସେବା କରୁଛନ୍ତି । ଏସବୁ ଦେଖିବା ପରେ ରାଜଧାନୀବାସୀଙ୍କ ମନରେ ଏପରି କିଛି ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏହାରି ଭିତରେ ଏମିତି ଏକ କଥା ରାଜ୍ୟରାଜନୀତିକୁ ସରଗରମ କରିଛି । ତାହା ହେଉଛି ଅର୍ଚ୍ଚନା କରିବେ ରାଜନୀତିରେ ଏଣ୍ଟ୍ରି । ସେଥିପାଇଁ ଭୁବେଶ୍ୱର ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମନ ଜିତିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଏବେ ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *