ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ : ୩ ସ୍ବାଧୀନ ବିଧାୟକଙ୍କ ବିଜେପିକୁ ସମର୍ଥନ ଘୋଷଣା
1 min readପାନାଜି: ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି। ସେ ତାଙ୍କ ସାଙ୍କେଲିମ୍ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ଏଯାଏ ବିଜେପି ୧୫ଟି ଆସନରେ ଜୟଯୁକ୍ତ ହୋଇସାରିଥିବା ବେଳେ ତିନି ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ଏବେ ବିଜେପିର ୪ଜଣ ପ୍ରାର୍ଥୀ ଆଗୁଆ ଥିବା ହେତୁ ଗୋଆରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ଆଜି ସନ୍ଧ୍ୟାରେ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି ଜଣାଯାଇଛି।
ତାଜା ତଥ୍ୟ ଅନୁଯାୟୀ, ପୁଣି ବିଜେପି କଂଗ୍ରେସକୁ ପଛରେ ପକାଇଛି। ଚାଲିଥିବା ୪୦ଟି ଆସନର ଗଣତିର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୯ଟି ଆସନରେ ଆଗୁଆ ରହିଛି। ଏଣେ କଂଗ୍ରେସ ପ୍ରାର୍ଥୀମାନେ ୧୨ଟି ଆସନରେ ଆଗୁଆ ଅଛନ୍ତି। ଏହା ବ୍ୟତୀତ ଟିଏମସି ମିଳିତ ମଞ୍ଚ ତିନିଟି ଆସନରେ ଆଗୁଆ ରହିଛି। ତେଣେ ୩ଜଣ ସ୍ବାଧୀନ ବିଧାୟକ ବିଜୟଲାଭ କରିଛନ୍ତି। ଏଣେ ଗୋଆରେ ୩ ଜଣ ସ୍ବାଧୀନ ସଦସ୍ୟ କୋର୍ଟାଲିମ୍, ମାନୁଏଲ୍ ଭାଜ୍ ଓ ଆଲେକେସୋ ନାଲଡୋ ବିଜେପିକୁ ନିସର୍ତ୍ତ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି। ଏହା ବିଜେପି ଲାଗି ସରକାର ଗଠନ ପଥକୁ ସୁଗମ କରିବ ବୋଲି କୁହାଯାଉଛି।