ଜୀବନକୁ ଭାରି ପଡିଲା ରିଲ୍ସ ନିଶା , ରିଲ୍ସ କରୁ କରୁ ଝରଣାରେ ଭାସିଗଲେ ୨ ଯୁବତୀ …
1 min readମାଲକାନଗିରି ; କାଳ ହେଲା ରିଲ୍ସ ନିଶା । ରିଲ୍ସ କରୁ କରୁ ଅସାବଧାନତା ବଶତଃ ପାଣି ଭିତରକୁ ଖସି ପଡିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅ ଏମାନଙ୍କୁ ଭସାଇ ନେଈଥିଲା। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ଏମାନଙ୍କ ଚିତ୍କାର ଶୁଣି ଶେଷରେ ଏମାନଙ୍କ ସହ ଯାଇଥିବା ୨ଜଣ ଡ୍ରାଇଭର ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଏମାନଙ୍କୁ ଟାଣି ଆଣିଥିଲେ।
ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତର ଘଟିଯାଇଛି ଏଭଳି ଅଘଟଣ । ଗତକାଲି କୁଡୁମୁଲୁଗୁମ୍ମାର ଏହି ୨ ଯୁବତୀ ପରିବାର ସହ ପିକନିକ ପାଇଁ ଏଠାକୁ ଆସିଥିଲେ। ତେବେ ସେଠାରେ ଏମାନେ ବୁଲାବୁଲି କରିବା ସହ ଖୁସିର ମୁହୁର୍ତ୍ତ ସାଇତି ରଖିବା ପାଇଁ ରିଲ୍ସ କରୁଥିଲେ। ଆଉ ଅସାବଧାନତା କାରଣରୁ ସେମାନଙ୍କ ଗୋଡ ସେଠାରେ ଖସି ଯାଇଥିଲା। ଫଳରେ ସେମାନେ ପାଣି ଭିତରକୁ ଖସି ଯାଇଥିଲେ। ପାଣିର ପ୍ରଖର ସ୍ରୋତ କାରଣରୁ ସେମାନେ ଆଉ ବାହାରକୁ ଆସି ନପାରି ଚିତ୍କାର କରୁଥିଲେ।
ପରିବାର ଲୋକ ବି ଭୟଭୀତ ଓ ଅସହାୟ ହୋଇ ପଡିଥିଲେ। ଆଉ ଏହା ଦେଖି ସେମାନଙ୍କ ସହ ଯାଇଥିବା ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ଏହି ୨ ଯୁବତୀଙ୍କୁ ପାଣି ଭିତରୁ ଟାଣି ଆଣି ସେମାନଙ୍କ ଜୀବନ ବଂଚାଇଥିଲେ।ଗୁମ୍ମାଝରଣ ଜଳପ୍ରପାତର ସୌନ୍ଦର୍ୟ୍ୟତା କାରଣରୁ ଏଠାକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି ହେଲେ ଏଠି ସୁରକ୍ଷା ବାଡ ବ୍ୟବସ୍ଥା ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।